ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ସାରିବାକୁ ସି. ବି. ଟି. ଶିକ୍ଷକ ସଂଘର ଦାବି, ନହେଲେ ଆନ୍ଦୋଳନ

Odisha Hot News
1 Min Read

ଭୁବନେଶ୍ବର: ଶିକ୍ଷାବର୍ଷରେ ଓଡିଶାର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ଓଡିଶା ସରକାରୀ ହାଇସ୍କୁଲ ସି. ବି. ଟି. ଶିକ୍ଷକ ସଂଘ ଦାବି କରିଛି। ଏହାସହ ବଦଳି ପ୍ରକ୍ରିୟା ସପ୍ତାହେ ଭିତରେ ଶେଷ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି।

ପ୍ରକାଶ ଥାଉକି ୨୦୨୩ ମସିହା ଅକ୍ଟୋବର ମାସରୁ ବଦଳି ପ୍ରକ୍ରିୟା ଆରମ୍ଭ ହେବାଠାରୁ ପ୍ରାୟ ୧୦ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗରୁ ଟ୍ରାନ୍ସଫର୍ ଅର୍ଡର ବାହାରି ପାରୁନି। ବିଭାଗର ବଦଳି କ୍ୟାଲେଣ୍ଡର୍ ଅନୁଯାଇ ୨୦୨୪ ମସିହା ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସେ ସବୁ ପାଣିର ଗାର ପାଲଟିଛି। ଏମିତିକି ଗୁରୁତର ରୋଗାକ୍ରାନ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମେଡିକାଲ ଗ୍ରାଉଣ୍ଡରେ ବଦଳି ପାଇଁ ଆବେଦନ କରିଥିଲେ ମାତ୍ର ଟ୍ରାନ୍ସଫର ଅର୍ଡର ବାହାରିବା ପୂର୍ବରୁ କତିପୟ ଶିକ୍ଷକ ଚିରଦିନ ପାଇଁ ଆଖି ବୁଜି ଦେଲେ ମାତ୍ର ବଦଳି ହୋଇ ଶେଷ ସମୟରେ ପରିବାର ସହ ସମୟ ଟିକିଏ ବିତାଇ ପାରିଲେ ନାହିଁ।

ସେଇଭଳି ବିଭିନ୍ନ ଗ୍ରାଉଣ୍ଡରେ ବଦଳି ଆବେଦନ କରି ଟ୍ରାନ୍ସଫର ଅର୍ଡର ଅପେକ୍ଷାରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମାନସିକ ଯନ୍ତ୍ରଣା ଭୋଗୁଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଅନଲାଇନ ଜନ ଶୁଣାଣି ପୋର୍ଟାଲ ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଶିକ୍ଷାମନ୍ତ୍ରୀଙ୍କ ସହ ସାକ୍ଷାତ କରି CBT ସଂଘ ବଦଳି ପ୍ରକ୍ରିୟାକୁ ଶୀଘ୍ର ସାରିବାକୁ ନିବେଦନ କରି ସାରିଛି। ମାତ୍ର ପ୍ରକ୍ରିୟାରେ କୌଣସି ଅଗ୍ରଗତି ନଘଟିବାରୁ ପୁଣି ଥରେ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରି ସଂଘର ଉପଦେଷ୍ଟା ଶୁଭ୍ରଜିତ ପ୍ରତିହାରୀ, ସମ୍ପାଦକ ଦେବରାଜ ସାହୁ ପ୍ରମୁଖ ବଦଳି ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଦାବି କରିଛନ୍ତି।

Share This Article