ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀ ଓ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବଢ଼ୁଛି ଚାହିଦା

Odisha Hot News
2 Min Read

ଭୁବନେଶ୍ୱର: ଗୁଜରାଟ ସୁରଟର ଶ୍ରୀ ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ମୋବାଇଲ୍‌ ବିକିରଣକୁ ହ୍ରାସ କରିବା ଲାଗି ଗାଈ ଗୋବରରୁ ଏକ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରିଛି। ଏହାକୁ ମୋବାଇଲ ପଛରେ ଲଗାଇଲେ ବିକିରଣ କାରଣରୁ ଶରୀରକୁ ହେଉଥିବା କ୍ଷତି ହ୍ରାସ କରାଯାଇପାରିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେଜଣ ଭିନ୍ନକ୍ଷମ ପିଲା ମିଶି ଏହିସବୁ ଉତ୍ପାଦକୁ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଦିବ୍ୟ କଳା ମେଳାରେ ଏହି ସଂସ୍ଥା ନିଜର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରୁଛି। ଭାରତୀୟ ପୁରାଣରେ ବର୍ଣ୍ଣିତ ତଥ୍ୟକୁ ଆଧାର କରି ଏହି ଉତ୍ପାଦ ପ୍ରସ୍ତୁତ କରାଯାଇଥିବା ସଂସ୍ଥାର କର୍ମକର୍ତ୍ତା କହିଛନ୍ତି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗତ ୫ତାରିଖ ଠାରୁ ଆରମ୍ଭ ହୋଇଥିବା ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସୁରଟର ଶ୍ରୀ ଦିବ୍ୟାଙ୍ଗ ପଚ୍ଚଗରଙ୍କ ସଂସ୍ଥା ସମେତ ଦେଶର ବିଭିନ୍ନ ସ୍ଥାନରୁ ଦିବ୍ୟାଙ୍ଗ କାରୀଗର, ଶିଳ୍ପୀ ଓ ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି।

ଉତ୍ତରପ୍ରଦେଶ ବାରାଣସୀର ଦିବ୍ୟାଙ୍ଗ କାରୀଗର ସମଶେର ଅନସାରୀ ନିଜର ହସ୍ତତନ୍ତ ଶାଢ଼ି ନେଇ ଦିବ୍ୟ କଳାମେଳାରେ ଯୋଗ ଦେଇଛନ୍ତି। ସେହିପରି କେରଳ ତ୍ରିଶୂରର ଦିବ୍ୟାଙ୍ଗ କାରୀଗର ସୁରଜ ବର୍ଜ୍ୟ ସାମଗ୍ରୀରୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି। ଚଲାବୁଲା କରିପାରୁନଥିବା ସତ୍ତ୍ୱେ ନିଜର ପ୍ରତିଭା ବଳରେ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଦିବ୍ୟ କଳା ମେଳାରେ ତାଙ୍କ ଉତ୍ପାଦର ମଧ୍ୟ ବିଶେଷ ଚାହିଦା ଦେଖିବାକୁ ମିଳିଛି। ଆଉ ଜଣେ ମୁକ ବଧିର ଭିନ୍ନକ୍ଷମ କାରୀଗର ଶ୍ରୀହର୍ଷ ଶୁକ୍ଳା ନିଜ ପ୍ରସ୍ତୁତ ଚିତ୍ରକଳା ନେଇ ମେଳାରେ ଅଂଶଗ୍ରହଣ କରିଛନ୍ତି। ମେଳାକୁ ଆସୁଥିବା ପରିଦର୍ଶକମାନେ ଦିବ୍ୟାଙ୍ଗ କାରୀଗର ଓ ଶିଳ୍ପୀଙ୍କ ପ୍ରତିଭା ଓ ସୃଜନଶୀଳତାକୁ ଦେଖି ପ୍ରଭାବିତ ହୋଇଛନ୍ତି।

ସୂଚନାଯୋଗ୍ୟ, ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ। ଏହି ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଆଗନ୍ତୁକମାନେ ଏଠାରେ ଦିବ୍ୟାଙ୍ଗ ଶିଳ୍ପୀ ଓ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ଗୃହସଜ୍ଜା ଓ ଜୀବନଶୈଳୀ ଉତ୍ପାଦ, ପୋଷାକ, ଷ୍ଟେସନାରୀ, ପରିବେଶ ଅନୁକୂଳ ଉତ୍ପାଦ, ପ୍ୟାକେଟ୍‌ ଖାଦ୍ୟ, ଜୈବିକ ଉତ୍ପାଦ, ଖେଳନା, ଉପହାର, ବ୍ୟକ୍ତିଗତ ସାମଗ୍ରୀ ତଥା ଅଳଙ୍କାର ଓ କ୍ଲଚ୍‌ ବ୍ୟାଗ ଏବଂ ଚିତ୍ରକଳା ପାଇପାରିବେ।

Share This Article