ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ଦମଦାର ପ୍ରଚାର, ଅପରାଜିତା ଷଡଙ୍ଗୀଙ୍କୁ କଲେ ଟାର୍ଗେଟ

Odisha Hot News
2 Min Read

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଓ ଟାଙ୍ଗୀ ଠାରେ ନିର୍ବାଚନ ପ୍ରଚାର କରି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି।

ବେଗୁନିଆ ଏବଂ ଟାଙ୍ଗୀ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ସେ କହିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କ କ୍ଷମତା ଅଛି। ଆପଣମାନେ ୫ ବର୍ଷ ଆଗରୁ ଯାହାଙ୍କୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସେ ଲୋକଙ୍କ ପାଇଁ କାମ ନ କରି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଥିଲେ। ନିଜ କାମ ଭୁଲି ଗଲେ।

ଏବେ ନିର୍ବାଚନ ଆସିଲା, ଆପଣଙ୍କ କଥା ମନେ ପଡିଲା। ଭୁବନେଶ୍ୱର ଭଳି ଗୋଟେ ସମ୍ମାନଜନକ କ୍ଷେତ୍ରର ସାଂସଦ ଭାବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା, ଭାରତ ସରକାରଙ୍କ ଯେଉଁ ବି ଭଲ ଭଲ ଯୋଜନା ରହିଛି, ତାକୁ ଏଠାରେ କାର୍ଯ୍ୟକାରୀ କରାଇଥାନ୍ତେ। ସେ ଚାହିଁଥିଲେ ଏଠାରେ ଶିଳ୍ପ ପାର୍କ, ସେମିକଣ୍ଡକ୍ଟର ପାର୍କ, ଏସଏମଇ ପାର୍କ ଇତ୍ୟାଦି ଆଣିବା ପାଇଁ ଚେଷ୍ଟା କରି ପାରିଥାନ୍ତେ। ଏସବୁ ଆସିଥିଲେ, ଯୁବପୀଢି ରୋଜଗାର ପାଇଥାନ୍ତେ। କିନ୍ତୁ ସେ କିଛି ବି କଲେ ନାହିଁ।

ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହ ଏବଂ ପାଇକମାନଙ୍କ ତ୍ୟାଗକୁ ମନେ ପକାଇ ସେ କହିଥିଲେ ଯେ, ଏ ମାଟି ହେଉଛି, ବୀର ପାଇକ ମାଟି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ରକୁ ଲେଖିଛନ୍ତି। କିନ୍ତୁ ସାଂସଦଙ୍କ ଏ ଦିଗରେ କୌଣସି ଅବଦାନ ନାହିଁ । ଆପଣମାନେ ତାଙ୍କୁ କ୍ଷମତା ଦେଲେ । ସେ କ୍ଷମତାର ଦୂରୁପଯୋଗ କଲେ। ଲୋକଙ୍କୁ ଠକିଲେ। ଏ ମାଟିକୁ ଠକିଲେ। ଆପଣ ତାଙ୍କୁ କେବେ କ୍ଷମା କରିବେ ନାହିଁ।

ବେଗୁନିଆ, ବୋଲଗଡ ଓ ଟାଙ୍ଗୀକୁ ଏନ୍‌ଏସି ମାନ୍ୟତା, ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭଳି ଅଞ୍ଚଳରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଲୋକଙ୍କ କାମର ହିସାବ ଦେବା ପାଇଁ। ମୁଁ ପୁଣି ଆସିବି, ଆପଣମାନଙ୍କୁ କାମର ହିସାବ ଦେବି। କିନ୍ତୁ ଏବେର ସାଂସଦ ରାଜନୀତିରେ ବ୍ୟସ୍ତ। ଲୋକଙ୍କୁ କେବେ ବି ହିସାବ ଦେବେ ନାହିଁ।

ସେ ପୁଣି କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ । ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଓ ରାଜେନ୍ଦ୍ର ସାହୁ ନିଜର ଅଭିଭାଷଣ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ।

Share This Article