ଦୋକାନ କାନ୍ଥ ଖୋଳି ମୋବାଇଲ ଚୋରୀ: ୩ ଗିରଫ, ୧୨ ମୋବାଇଲ ଜବତ

Odisha Hot News
2 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରରେ ଦିନକୁ ଦିନ ଚୋରି ଡକାୟତ ବଢ଼ିବାରେ ଲାଗିଛି। ପୋଲିସ ରାତିରେ ପାଟ୍ରୋଲିଂ ଠିକ ଭାବରେ କରୁ ନ ଥିବାରୁ ଚୋରମାନେ ଅନାୟାସରେ ଚୋରି କରିବାରେ ସଫଳ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଭୀମଭୋଇ ମାର୍କେଟର ଏକ ମୋବାଇଲ ଦୋକାନରୁ ଚୋରି ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ୧୨ ଟି ମୋବାଇଲ ଫୋନ ଜବତ କରିବାରେ ସଫଳ ହୋଇଛି।

ଗିରଫ ଯୁବକ ମାନେ ହେଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଥାନା ଅଞ୍ଚଳର ଜଣେ ନାବାଳକ ସହିତ ବିକ୍ରମ ଡ଼ଙ୍ଗ (୩୭) ଓ ସୁନିଲ ମୁଣ୍ଡା (୧୯)।

ସୂଚନା ଯୋଗ୍ୟ ଯେ, ଏହି ଘଟଣାଟି ଗତ ମାର୍ଚ୍ଚ ମାସ ୨୧ ତାରିଖରେ ରେଢ଼ାଖୋଲ ସହରର ଖୁସି ନାମକ ଏକ ମୋବାଇଲ ଦୋକାନର ପଛପଟ କାନ୍ଥକୁ ଖୋଳି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ମୋବାଇଲ ଦୋକାନର ମାଲିକ ସୌମେନ୍ଦ୍ର ପଣ୍ଡା ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଚୋରୀ ଘଟଣାରେ ରେଢ଼ାଖୋଲ ଥାନା ଅଧିକାରିଣୀ ସବିତା ବାଳା ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ଆରମ୍ଭ କରି ମୋବାଇଲ ଆଇଏମଇଆଇ ନମ୍ବର କୁ ଟ୍ରାକ କରି ଦୃର୍ବୁତ୍ତ ମାନଙ୍କୁ ରାଉରକେଲା ଅଞ୍ଚଳରୁ ଧରିଥିଲେ। ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ନାବାଳକ ସହିତ ଦୁଇ ଜଣ ଯୁବକ ରହିଛନ୍ତି। ତା ସହିତ ୧୨ ଟି ମୋବାଇଲ ଓ କାନ୍ଥ ଖୋଳିବାରେ ବ୍ୟବହାର କରିଥିବା କୋଦାଳ କୁ ଜବତ କରିଛି ରେଢ଼ାଖୋଲ ପୋଲିସ।

ମୁଖ୍ୟ ଅଭିଯୁକ୍ତ ବିକ୍ରମ ଡଙ୍ଗ ଏଠାରେ ରହି ରଙ୍ଗ ମିସ୍ତ୍ରୀ ଭାବର କାମ କରୁଥିଲେ। ଏଥିରେ ବିକ୍ରମ ଦୋକାନରୁ ମୋବାଇଲ ଚୋରୀ କରିବା ପାଇଁ ରାଉରକେଲାରୁ ଆଉ ଦୁଇ ଜଣଙ୍କୁ ସାମିଲ୍ କରିଥିଲା। ଏହି ତଦନ୍ତ ପ୍ରକ୍ରିୟାରେ ତଦନ୍ତକାରୀ ଅଫିସର ଭାବେ ଏସଆଇ ଅସୀମା ଏକ୍କା, ଏସଆଇ ଚିତ୍ତ ରଞ୍ଜନ ମେହେର, ପୋଲିସ କର୍ମଚାରୀ ମୋହନ ଶବର, ବସନ୍ତ ଧରୁଆ ଓ ଦିନେଶ ନାୟକ ପ୍ରମୁଖ ସାମିଲ ରହିଥିଲେ।

ଏ ସଂକ୍ରାନ୍ତରେ ରେଢ଼ାଖୋଲ ପୋଲିସ କେସ ନଂ ୮୧/୨୪ ରେ ଏକ ମାମଲା ରୁଜୁ କରି ଉକ୍ତ ଅଭିଯୁକ୍ତ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ସବିତା ବାଳା ସେଠୀ ସୂଚନା ଦେଇଛନ୍ତି।

Share This Article