ଓଡିଶା ମତଦାନ ପାଇଁ ମୁତୟନ ହେଲେ ୧୬୫ କମ୍ପାନୀ ସିଏପିଏଫ୍‌, ନିର୍ବାଚନ କମିଶନର ଦେଲେ ସୂଚନା

Odisha Hot News
1 Min Read

ଭୁବନେଶ୍ବର: ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ନିମନ୍ତେ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏକ ଜାତୀୟ ଉତ୍ସବର ମାହୋଲ ମଧ୍ୟରେ ମତଦାନ ବ୍ୟବସ୍ଥା ପାଇଁ ଏହି ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି।

ସାଧାରଣ ନିର୍ବାଚନ-୨୦୧୯ରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ୍‌ ମୁତୟନ ହୋଇଥିଲେ। ଏହା ମଧ୍ୟରୁ ୯୬ କମ୍ପାନୀ ଇନ୍‌ସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକଫ ଇଣ୍ଡକସନ୍‌ ଭାବରେ ମୁତୟନ ହୋଇଥିଲେ। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ଏହା ମଧ୍ୟରୁ ୮୩ କମ୍ପାନୀ ଇନ୍‌ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକଫ ଇଣ୍ଡକ୍‌ସନ୍‌ ମାଧ୍ୟମରେ ମୁତୟନ ହେବେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍‌ ଜବାନ୍‌ ମୁତୟନ ହୋଇସାରିଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଫ୍ଲାଗ୍‌ମାର୍ଚ୍ଚ ଆଦିି କରୁଛନ୍ତି। ମତଦାତାମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଯେଭଳି ଭାବେ ଉତ୍ସାହର ସହିତ ମତଦାନ କରିବେ ତାକୁ ଧ୍ୟାନରେ ରଖି ଏସବୁ କାର୍ଯ୍ୟ କରାଯାଉଛି।

ମଇ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ମଇ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍‌ ଜବାନ୍‌ କାର୍ଯ୍ୟରେ ଯୋଗଦେବେ। ଏହା ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ଏହା ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗି୍ରକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି।

Share This Article