ପ୍ରାର୍ଥୀ ଘୋଷଣା ନେଇ ଦୁଇ ପ୍ରମୁଖ ଦଳ ଭିତରେ ଛକାଛକି, ବିଜେଡି ଅସନ୍ତୁଷ୍ଠଙ୍କୁ ଅନେଇ ରହିଛି ବିଜେପି

Odisha Hot News
2 Min Read

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାଁନ୍ତି। କେବଳ ବିଜେଡି ତାହାର 15 ଲୋକସଭା ଏବଂ 72 ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେପି ସଂପୂର୍ଣ୍ଣ ଭାବେ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭାର ଗୋଟିଏ ମଧ୍ୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ସେହିପରି କଂଗ୍ରେସ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ବିଜେଡିର ପ୍ରାର୍ଥୀ ତାଲିକାକୁ ଉଭୟ ବିଜେପି ଓ କଂଗ୍ରେସ ଅନେଇ ରହିଛନ୍ତି। କାରଣ ହେଲା ବିଜେଡିରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ରହିଛନ୍ତି ବହୁ ଆଶାୟୀ। ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳିରେ କିଛି ନା କିଛି ସଂଗଠନ ରହିଛି। ସେଥିପାଇଁ ବିଜେଡି ଜଣଙ୍କ ନାମ ଘୋଷଣା କରିବା ପରେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ ଦଳ ଛାଡିବେ। ସେହିମାନଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟିକେଟ ଦେବ ବୋଲି ଅନେଇ ରହିଛନ୍ତି।

ଅନ୍ୟପଟେ ବିଜେଡି ଏହି କଥା ଜାଣିବା ପରେ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁ ନାହିଁ। ବର୍ତ୍ତମାନ ବିଜେଡି 72 ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଅନ୍ୟ 75ଟି ଆସନ ବିବାଦୀୟ ରହିଛି। ଅର୍ଥାତ ଏହି ଆସନରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ଅଧିକ। କାଳେ ସେମାନଙ୍କୁ ଟିକେଟ ନ ଦେଲେ ଦଳ ଛାଡି ଦେବେ ସେଥିପାଇଁ ବିଜେଡି ମଧ୍ୟ ତାଲିକାକୁ ଜାବୁଡି ଧରିଛି। ମୁଖ୍ୟତଃ ବିଜେପି ଘୋଷଣା କରିବା ପରେ ବିଜେଡି ତାହାର ତାଲିକା ଖୋଲିବ ବୋଲି ଜଣାପଡିଛି।

ବିଜେଡି ପାଇଁ ବର୍ତ୍ତମାନ ଭୁବନେଶ୍ବରର ତିନି ବିଧାନସଭା ଆସନରେ ପ୍ରାର୍ଥୀ ଦେବା କଷ୍ଟକର ହୋଇପଡିଛି। କାରଣ ଏହି ତିନୋଟି ଆସନରେ ଆଶାୟୀଙ୍କ ଦାବୀ ଜୋରଦାର ହୋଇଛି। ଭୁବନେଶ୍ବରର ଉତ୍ତରରେ ବିଜେଡି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଟିକେଟ ପାଇବେ ନାହିଁ ବୋଲି ଜାଣିବା ପରେ ଦଳ ଛାଡି ଦେଇଛନ୍ତି। ହେଲେ ଅନ୍ୟ ଆସନରେ ଆଶାୟୀ ଏବେ ବିଜେଡି ଟିକେଟକୁ ଅନେଇ ରହିଛନ୍ତି। କୌଣସି କାରଣରୁ ବିଜେଡି ଟିକେଟ ନ ଦେଲେ ସେମାନେ ଦଳ ଡିଆଁ ଆରମ୍ଭ କରିଦେବେ।

ତେବେ ଏହି ଛକାଛକି ଭିତରେ ବର୍ତ୍ତମାନ ବିଜେପି ଯେଉଁ ଯେଉଁ ଆସନରେ ତାଙ୍କ ପ୍ରାର୍ଥୀଙ୍କ ସଂଗଠନ ରହିଛି ସେଗୁଡିକ ଘୋଷଣା କରିବ ବୋଲି ଜଣାପଡିଛି। ହେଲେ ଏମିତି ଅନେକ ଆସନ ରହିଛି ଯାହା ବିଜେପି ପାଖରେ ସେପରି କେହି ଦବଦବା ଥିବା ପ୍ରାର୍ଥୀ ନାହାଁନ୍ତି। ସେଥିପାଇଁ ଦଳ ସେହି ଆସନ ପାଇଁ ବିଜେଡିର ଅସନ୍ତୁଷ୍ଠଙ୍କୁ ଅନେଇ ରହିଛି।

Share This Article