ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବହିଷ୍କୃତ

Odisha Hot News
1 Min Read

ବାଲୁଗାଁ: ଗୁରୁବାର ଦିନ ବାଲୁଗାଁ ତୈଳିକ ବୈଶ୍ୟ ସମାଜରୁ ଅଲ ଓଡ଼ିଶା ରାଜ୍ୟ ସଭାପତି ତଥା ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବହିଷ୍କାର କରାଯାଇଛି। ଖବର ମୁତାବକ ବାଲୁଗାଁ ତୈଳିକ ବୈଶ୍ୟ ସମାଜ ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ବାଲୁଗାଁ ସ୍ଥିତ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାରେ ତାଙ୍କୁ ବହିଷ୍କାର କରାଗଲା ବୋଲି ଘୋଷଣା କରାଯାଇଛି।

ଆୟୋଜିତ ବୈଠକରେ ଉପ ସଭାପତି ଶରତ ସାହୁ, ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ ସଭ୍ୟ ଯୋଗ ଦେଇଥିଲେ। ସଙ୍ଘର ନୀତି ନିୟମକୁ ଦୀର୍ଘଦିନ ହେବ ଅବମାନନା କରୁଥିବା ବେଳେ ସଙ୍ଘର କୌଣସି କାର୍ଯ୍ୟରେ ଯୋଗ ନ ଦେବା ଓ ସଙ୍ଘକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ସର୍ବସମ୍ମତି କ୍ରମେ ରଘୁନାଥ ସାହୁଙ୍କୁ ବହିଷ୍କାର କରାଯାଇଥିବା ସଭାପତି ଶ୍ରୀ ସାହୁ କହିଛନ୍ତି।

ପୂର୍ବତନ ବିଧାୟକ ଶ୍ରୀ ସାହୁ ନିଜର ଜାତିଆଣ ତୈଳିକ ବୈଶ୍ୟ ସମାଜ ବାଲୁଗାଁରୁ ଗୁରୁବାର ବହିଷ୍କୃତ ହୋଇଥିବା ବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ ରଘୁନାଥ ସାହୁ ରାଜ୍ୟ ତୈଳିକ ବୈଶ୍ୟ ସମାଜର ସଭାପତି ଥିବା ବେଳେ ନିଜ ଜନ୍ମମାଟି ତୈଳିକ ସମାଜରୁ ବହିଷ୍କୃତ ହେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Share This Article