ବିଜେଡିର କେନ୍ଦ୍ରାପଡା ଅଭିଯାନ: ଅଂଶୁମାନଙ୍କ ପରେ ଦଳରେ ମିଶିବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

Odisha Hot News
2 Min Read

ଭୁବନେଶ୍ବର: ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଓଡିଶାରେ ବେଶ ଚର୍ଚ୍ଚା ଚାଲିଛି। କାରଣ ନିକଟରେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗ ଦେବା ପରେ ଏହି ଜିଲ୍ଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପରେ ପରେ ଦଳ ଏହି ଜିଲ୍ଲାର ସଭାପତିଙ୍କୁ ବଦଳାଇବା ସହିତ ସଂଗଠନ ସ୍ତରରେ ଅଦଳବଦଳ କରିଛି।

ବର୍ତ୍ତମାନ କେନ୍ଦ୍ରାପଡାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେଲା , ଓଡିଶାର ଏକଦା ଟାଣୁଆ ନେତା ଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିବେ। ବର୍ତ୍ତମାନ ବିଜୟ ମହାପାତ୍ର ରାଜନୀତିରୁ ଏକ ପ୍ରକାରର ଦୂରେଇ ଗଲେଣି। ସେଥିପାଇଁ ସେ ତାଙ୍କ ପୁଅଙ୍କୁ ମଇଦାନକୁ ଆଣିବା ପାଇଁ ଆଗ୍ରହୀ ଅଛନ୍ତି। ତେବେ ପୁଅ ବିଜେପି ରେ ନ ମିଶି ବିଜେଡିରେ ମିଶୁ ବୋଲି କୁଆଡେ ବିଜୟ ଚାହୁଁଛନ୍ତି।

ତେବେ ଏ ନେଇ ବିଜେଡି ତରଫରୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି। ବିଜୟକୁ ହୁଏତ ବିଜେଡି ଗ୍ରହଣ କରି ନ ପାରେ ହେଲେ ତାଙ୍କ ପୁଅଙ୍କୁ ଦଳରେ ସାମିଲ କରିବାରେ କିଛି ଅସୁବିଧା ନାହିଁ। ସେଥିପାଇଁ କୁଆଡେ ନବୀନ ନିବାସରୁ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି ବୋଲି କୁହାଯାଉଛି। ଖୁବ ଶିଘ୍ର ଏ ନେଇ ଘୋଷଣା କରାଯିବ ବୋଲି ଜଣାପଡିଛି।

କେନ୍ଦ୍ରାପଡି ଜିଲ୍ଲା ବର୍ତ୍ତମାନ ବିଜେଡି ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳିର ସାଂସଦ ଅନୁଭବ ମହାନ୍ତିଙ୍କୁ ବିଜେଡି ଆଉ ଟିକେଟ ଦେବ ନାହିଁ। ଫଳରେ ସେଠାରୁ କିଏ ସାଂସଦ ପ୍ରାର୍ଥୀ ହେବ ସେ ନେଇ ଦଳ ହିସାବ କରିବା ଆରମ୍ଭ କରିଛି। ତେବେ ଦଳ ପାଇଁ ଏକ ସୁବିଧା ହୋଇଛି ଯେ, ଏଥର ବୈଜୟନ୍ତ ପଣ୍ଡା ଲଢେଇ କରିବେ ନାହିଁ।

ସେଥିପାଇଁ ଦଳ ନୂଆ ଯୁବ ପ୍ରାର୍ଥୀଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ତାଙ୍କ ଦଳରେ ଅଂଶୁମାନ ମହାନ୍ତି ଜଣେ ସାଂସଦ ପ୍ରାର୍ଥୀ ହୋଇ ପାରିବେ। ସେହିପରି ଯଦି ବିଜୟ ମହାପାତ୍ରଙ୍କ ପୁଅ ବିଜେଡିରେ ସାମିଲ ହେଲେ ତେବେ ସେ ମଧ୍ୟ ଜଣେ ସାଂସଦ ପ୍ରାର୍ଥୀ ହୋଇପାରିବେ। କାରଣ ଉଭୟଙ୍କର ଜିଲ୍ଲାରେ ଲୋକପ୍ରିୟତା ରହିଛି।

Share This Article