ଫେବୃୟାରୀରେ ଦୁଇଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ବିଜେପି ବେଶ ଉତ୍ସାହିତ

Odisha Hot News
2 Min Read

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ବିଜେପି ବେଶ ଉତ୍ସାହିତ। କାରଣ ସାରା ଦେଶରେ ଚାଲିଛି ମୋଦି ଲହର। ସେଥିପାଇଁ ତାଙ୍କୁ ଭରସା କରି ଓଡିଶା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚାହୁଛି ରାଜ୍ୟ ବିଜେପି। ପ୍ରଥମ ଗସ୍ତ ପଶ୍ଚିମ ଓଡିଶା ଥିବାରୁ ସେଠାରେ ବିଜେପି ତରଫରୁ ବ୍ୟାପକ ଆୟୋଜନ କରାଯାଉଛି।

ଫେବୃୟାରୀ ୩ ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ

ଆସନ୍ତା ଫେବୃୟାରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ। ସେଦିନ ସେ ସମ୍ବଲପୁରର ଗସ୍ତ କରି ସେଠାରେ ଥିବା ଆଇଆଇଏମ ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ବର୍ତ୍ତମାନ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେବାର ସମ୍ଭାବନା ଥିବାରୁ ତାଙ୍କ ଶିବିର ବେଶ ଉତ୍ସାହିତ ହୋଇପଡିଛି।

ସେଦିନ ମୋଦି ଭୁବନେଶ୍ବର ନ ଆସି ସିଧା ସମ୍ବଲପୁର ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି। ପ୍ରଥମେ ସେ ଆଇଆଇଏମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ ସମ୍ବଲପୁରରେ ଏକ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେବାର ଜଣାପଡିଛି। ସେଥିପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ଆୟୋଜନ କରାଯାଉଛି। ବିଶେଷକରି ଧର୍ମେନ୍ଦ୍ର ପ୍ରଧାନ ପୁରା ଦମରେ ଏହି ଗସ୍ତ ସଫଳ କରାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି।

ଫେବୃୟାରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ

ପୁଣି ସାତଦିନ ପରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଫେବୃୟାରୀ ୧୦ ତାରିଖରେ ଦ୍ବିତୀୟ ଥର ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ଭୁବନେଶ୍ବରରେ ଆୟୋଜିତ ଜାତୀୟ ମହିଳା ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି। ଏହି ମହିଳା ସମ୍ମିଳନୀରେ ପ୍ରାୟ ୧୧ ଟି ରାଜ୍ୟର ପ୍ରତିନିଧୀ ଯୋଗଦେବେ।

ରାଷ୍ଟ୍ରୀୟ ବିଜେପି ଦେଶରେ ଦୁଇଟି ବିରାଟ ମହିଳା ସମ୍ମିଳନୀ କରିବା ପାଇଁ ଯୋଜନା କରିଛି। ଗୋଟିଏ ମଧ୍ୟପ୍ରଦେଶ ଭୋପାଳ କରାଯିବ। ସେହିପରି ଅନ୍ୟଟି ଭୁବନେଶ୍ବରରେ କରିବା ପାଇଁ ନିଷ୍ପତି ହୋଇଛି। ଏହି ଦୁଇଟି ମହିଳା ସମ୍ମିଳନୀରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି କର୍ମମାନଙ୍କୁ ସମ୍ବୋଧିତ କରିବେ। ଓଡିଶା ସମ୍ମିଳନୀ ପାଇଁ ରାଜ୍ୟ ବିଜେପି ତରଫରୁ ମଧ୍ୟ ବେଶ ବଡ ଧରଣର ଆୟୋଜନ କରାଯିବ।

ନିର୍ବାଚନ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡିଶାକୁ ଦୁଇଥର ଗସ୍ତରେ ଆସୁଥିବାରୁ ରାଜ୍ୟ ବିଜେପି ଭିତରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ ମୋଦି ଗ୍ୟାରେଣ୍ଟିକୁ ରାଜ୍ୟ ବିଜେପି କେତେଦୂର କାର‌୍ୟ୍ୟରେ ଲଗାଇପାରିବ ସେ ନେଇ ରହିଛି ସନ୍ଦେହ।

Share This Article