ଆବଶ୍ୟକ ତେଇଶି, ଅଛନ୍ତି ଦୁଇ ଡାକ୍ତର: ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ?

Odisha Hot News
2 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ): ରାଜ୍ୟ ସରକାର ୫ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ଦେଇ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କ ରୋଗର ଚିକିତ୍ସା ପାଇଁ ଡାକ୍ତର ମରୁଡି ଦେଖା ଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନଥିବା ବେଳେ ସାମାନ୍ୟ ରୋଗରେ ପୀଡିତ ଦୁରଦୂରନ୍ତା ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡା ବ୍ଲକରେ ଥିବା ସୁମଣ୍ଡଳ ଚିକିତ୍ସାକେନ୍ଦ୍ର ଏବଂ ବେଗୁନିଆପଡା ଚିକିତ୍ସାକେନ୍ଦ୍ର। ଏହି ସବୁ ଚିକିତ୍ସା କେନ୍ଦ୍ରରେ ମୋଟ ୨୩ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଚିକିତ୍ସା କରୁଛନ୍ତି ମାତ୍ର ଦୁଇଜଣ ଡାକ୍ତର।

ଆଇପିଏଚଏସ ଅନୁସାରେ କୋଦଳା ଚିକିତ୍ସାକେନ୍ଦ୍ରରେ ପାଞ୍ଚ ଜଣ ଏମ ବି ବି ଏସ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଅସ୍ତ୍ରୋପ୍ରଚାର ବିଶେଷଜ୍ଞ ଏବଂ ଅନ୍ୟ ଜଣେ ବିଶେଷଜ୍ଞ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା। ତେବେ ୧୧ ଜଣ ଚିକିତ୍ସକ ଆବଶ୍ୟକ ଥିବା ବେଳେ ଜଣେ ହେଲେ ମଧ୍ୟ ସ୍ଥାୟୀ ଚିକିତ୍ସକ ନାହାନ୍ତି, ଯାହା ଫଳରେ ୩ ଜଣଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଡେପୁଟେସନ ହୋଇଛି।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀ ନଥିବାରୁ ବେଗୁନିଆପଡା ଡାକ୍ତରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବେଗୁନିଆପଡାରେ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ଛାଡି ଦିଆଯାଇଛି।

କୋଦଳା ଚିକିତ୍ସା କେନ୍ଦ୍ରରେ ଫାର୍ମାସିଷ୍ଟ ୩ ଜଣ ସ୍ଥାନରେ ଜଣେ, ଆଟେଣ୍ଡାଣ୍ଟ ୪ଜଣଙ୍କ ସ୍ଥାନରେ ଦୁଇଜଣ, ନର୍ସ ୧୨ ଜଣଙ୍କ ସ୍ଥାନରେ ମାତ୍ର ଛଅଜଣ ରହିଛନ୍ତି।

ସେହିପରି କୋଦଳା ପରି ସୁମଣ୍ଡଳ ଚିକିତ୍ସାକେନ୍ଦ୍ରରେ ସମାନ ସଂଖ୍ୟା ଡାକ୍ତର ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ସର୍ଜରୀ ଡାକ୍ତରଙ୍କ ଭରସାରେ ଚାଲିଛି। ଏଠାରେ ନର୍ସ ୮ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ରହିଛନ୍ତି।

ସେପଟେ ବେଗୁନିଆପଡା ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ କେହି ଷ୍ଟାଫ ନଥିବା ବେଳେ ଜଣେ ମାତ୍ର ଆୟୁଷ ଡାକ୍ତର ଚିକିତ୍ସାକେନ୍ଦ୍ର ଚଳାଉଛନ୍ତି। ଯାହାକି ରୋଗୀଙ୍କ ଜୀବନ ଉପରେ ଖେଳ ଖେଳା ଯାଉଛି। କୋଦଳା ଏବଂ ବେଗୁନିଆପଡା ଅଂଚଳର ଲକ୍ଷାଧିକ ଲୋକ ଉକ୍ତ ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟସରକାର, ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜିବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ଗୁରୁତର ସହ ନେଇ ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଦାବି ହେଉଛି।

Share This Article