ଅସୁସ୍ଥ ଦନ୍ତା ହାତୀକୁ ଚିକିତ୍ସା କଲା ବନ ବିଭାଗ

Odisha Hot News
1 Min Read

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଏବେ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା।  ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ହାତୀଟିର ଗୋଡ଼ରେ ଗୁଳି ବାଜିଥିବା ଜଣା ପଡିଥିଲା। କୌଣସି ଶିକାରୀ ହାତୀଟିକୁ ଗୁଳି କରିଥିବା ସ୍ଥାନୀୟ ଲୋକମାନେ କହିଥିଲେ। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ।

ଯାହା ଫଳରେ ଆଜି ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଛି ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିବା ଜଣା ପଡିଛି। ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ କାଞ୍ଚନପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ଏଥିପାଇଁ ହରିହରପୁର, କାଞ୍ଚନପୁର ଜଙ୍ଗଲରେ ରଣପୁର ବନବିଭାଗ ଡେରା ପକାଇଥିଲା।  ଗତ କାଲି ରାତି ସାରା ରଣପୁର ରେଞ୍ଜର ୨ଟି ଟିମ ଅସୁସ୍ଥ ଦନ୍ତା କୁ ଖୋଜିବା ପାଇଁ ହରିହରପୁର ଓ କାଞ୍ଚନପୁର ଜଙ୍ଗଲରେ ଖୋଜିଥିଲା। ଅସୁସ୍ଥ ଦନ୍ତା ହାତୀ ମିଳିବା ପରେ ଆଜି ସକାଳୁ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଛି। ହାତୀର ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିବା ଜଣା ପଡିଛି। ବର୍ତ୍ତମାନ ହାତୀଟିର ଅବସ୍ଥାରେ ଉନ୍ନତି ଆସିଥିବା ରଣପୁର ରେଞ୍ଜର ସୁଶାନ୍ତ ଦଳେଇ କହିଛନ୍ତି।

Share This Article