ମହିଳା ସରପଞ୍ଚ ସାବଧାନ: ଆପଣଙ୍କ ସଂପର୍କୀୟ ଆପଣଙ୍କ ନାମରେ ଆଉ କରିପାରିବେନି ଶାସନ

Odisha Hot News
1 Min Read

ଭୁବନେଶ୍ବର: ଏଣିକି ମହିଳା ସରପଞ୍ଚଙ୍କ ନାମରେ ତାଙ୍କ ସଂପର୍କୀୟଙ୍କ ଶାସନ ଚଳିବ ନାହିଁ। ଏ ନେଇ ଜିଲ୍ଲାପାଳମାନେ ତଦାରଖ କରିବେ ବୋଲି ରାଜ୍ୟ ସରକାର ରୋକଠୋକ ଜଣାଇ ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ସୁଶୀଲ ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ଚିଠି କରି ଏ ନେଇ ତାଗଦ କରିଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ, ଯେଉଁ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ସ୍ବାମୀ, ବାପା, ଦିଅର, ପୁଅ କିମ୍ବା ଅନ୍ୟ ସଂପର୍କୀୟ ରାଜ କରୁଛନ୍ତି ସେମାନଙ୍କୁ ଚିହ୍ନଟ କର। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି କୁହାଯାଇଛି। ତାଙ୍କ ବିରୋଧରେ ଫୌଜଦାରୀ ମାମଲ ଋଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସରପଞ୍ଚ ଭାବେ ନିର୍ବାଚିତ ହେବ, ଆଉ ଜଣେ ଶାସନ କରିବା କାର୍ଯ୍ୟ ଚଳିବ ନାହିଁ ବୋଲି କୁହାଯାଇଛି।

ସାଧାରଣତଃ ଯେଉଁଠି ମହିଳା ସରପଞ୍ଚ ଅଛନ୍ତି ସେଠାରେ ସେ ଘରୁ ନ ଯାଇ ତାଙ୍କର ସଂପର୍କୀୟମାନେ ପଞ୍ଚାୟତ ଅଫିସ ଯାଇ ସବୁକଥା ବୁଝୁଛନ୍ତି। ଏପରିକି ପଞ୍ଚାୟତ ବୈଠକ ମଧ୍ୟ ସେମାନେ କରୁଛନ୍ତି। ସରପଞ୍ଚ କେବଳ ଦସ୍ତଖତ କରିବା ଛଡା ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ। ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ପଞ୍ଚାୟତ ସ୍ତରରେ 50 ପ୍ରତିଶତ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ କରାଯାଇଛି। ଫଳରେ ରାଜ୍ୟର ମୋଟ ପଞ୍ଚାୟତ ମଧ୍ୟରୁ 50 ପ୍ରତିଶତ ମହିଳା ସରପଞ୍ଚ ଅଛନ୍ତି। ଏପରି କରିବାର ଅର୍ଥ ହେଲା ଯେ, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ହାତରେ ଶାସନ ଭାର ଦେବା। ହେଲେ ତାହା କେବଳ କାଗଜପତ୍ରରେ ରହୁଥିବାରୁ ପଞ୍ଚାୟତିରାଜ ବିଭାଗ ଏହି କଡା ପଦକ୍ଷେପ ଗ୍ରହଣ କରୁଛି।

Share This Article