ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସହରାଞ୍ଚଳରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା। ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ବଡ଼ଗଡ଼ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଉପ କମିଶନର ମନୋରଞ୍ଜନ ସାହୁ, ରମେଶ ଚନ୍ଦ୍ର ଜେନା, ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଉପସ୍ଥିତ ଥିଲେ। ଏଥିରେ ଆଧାର ସଂଶୋଧନ ଶିବିର ଓ ପ୍ରଧାନମନ୍ତ୍ରୀ ସ୍ବନିଧି ଶିବିର ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଜ୍ବଳା ଓ ଆଧାର କାର୍ଡ ହିତାଧିକାରୀମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଆଦି ସହରରେ ଅଭିଯାନ ଆରମ୍ଭ ହୋଇଛି । କଟକରେ ଏହି ଅଭିଯାନରେ ମେୟର ସୁବାସ ସିଂ ଏବଂ ବିଧାୟକ ମହମ୍ମଦ ମୁକିମ ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୫ ତାରିଖରେ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନାର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।

Share This Article