ବଡ଼ମ୍ବା ବ୍ଲକ୍‌ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

Odisha Hot News
1 Min Read

ଭୁବନେଶ୍ଵର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ ରତାପାଟ ଏବଂ ଦାଶରଥୀପୁର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପ ଯାତ୍ରାର ସଚେତନତା ବାହନ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ସାହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା। ସଂକଳ୍ପ ଯାତ୍ରା ଉପଲକ୍ଷେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଊଜ୍ଜ୍ୱଳା ଯୋଜନା, ଉଜାଲା ଯୋଜନା, ପିଏମ କିଷାନ, ଜନଧନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସୁରକ୍ଷା ବୀମା ଯୋଜନା, ଡାକ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି।

ସଚେତନତା ଗାଡ଼ିରେ ଲାଗିଥିବା ଏଲଇଡି ସ୍କ୍ରିନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଓ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ସଂକଳ୍ପ ଯାତ୍ରାର ନୋଡାଲ ଅଧିକାରୀମାନେ ଯୋଗ ଦେଇ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସମସ୍ତେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ବଡ଼ମ୍ବା ବ୍ଲକ୍‌ରେ ସଂକଳ୍ପ ଯାତ୍ରାର ଅନୁଧ୍ୟାନ କରିବା ଲାଗି ନୂଆଦିଲ୍ଲୀସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ କୃପାଶଙ୍କର ଯାଦବ, ପିଆଇବି, ଭୁବନେଶ୍ୱରର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଅଧିକାରୀ ମାନେ ହିତାଧିକାରୀଙ୍କ ସହ ମତ ବିନିମୟ କରିବା ସହ ଏହି ସ୍ୱତନ୍ତ୍ର ଅଭିଯାନ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ।

Share This Article