ଓଡ଼ିଶା ମିଲେଟସ୍‌ ମିଶନକୁ ମିଳିଲା ‘ଗ୍ଲୋବାଲ୍‌ ମଡେଲ୍‌’ ପୁରସ୍କାର

Odisha Hot News
2 Min Read

ଭୁବନେଶ୍ୱର: ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଆନୁକୂଲ୍ୟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ଓଡ଼ିଶା ମିଲେଟସ୍‌ ମିଶନକୁ ‘ମିଲେଟସ୍‌ ପ୍ରୋତ୍ସାହନ ପାଇଁ ଗ୍ଲୋବାଲ୍‌ ମଡେଲ୍‌’ ପୁରସ୍କାର ମିଳିଥିବା ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ସଫଳତା ପାଇଁ ଓଡ଼ିଶା ମିଲେଟସ୍‌ ମିଶନ ଏବଂ ମିଲେଟସ୍‌ ଚାଷରେ ସଂପୃକ୍ତ ଚାଷୀ ଭାଇ ଓ ଭଉଣୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ପଦକ୍ଷେପ ଏବଂ ଦିଗ୍‌ଦର୍ଶନ ଯୋଗୁ ଓଡ଼ିଶା ମିଲେଟସ୍‌ ମିଶନ ଆଜି ବିଶ୍ୱ ଦରବାରରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ସୂଚନାଯୋଗ୍ୟ ଯେ ହାଇଦ୍ରାବାଦ୍‌ଠାରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହାକୁ ଗ୍ରହଣ କରିଥିଲେ। ଆଜି କୃଷିଭବନଠାରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଭେଟି ଓଡ଼ିଶା ମିଲେଟସ୍‌ ମିଶନକୁ ମିଳିଥିବା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ମିଲେଟସ୍‌ ମିଶନର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ମିଲେଟସ୍‌ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡ଼ିଶା ମିଲେଟସ୍‌ ମିଶନ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍‌ ସାବ୍ୟସ୍ତ ହୋଇଥିବା ଏହି ପୁରସ୍କାର ପ୍ରମାଣିତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ପୁଷ୍ଟିଶସ୍ୟ ମାଣ୍ଡିଆର ପୁନରୁଦ୍ଧାର ସହିତ କ୍ଷେତ୍ରରୁ ଖାଦ୍ୟଥାଳିରେ ପହଞ୍ଚାଇବା ଦିଗରେ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମାଣ୍ଡିଆକୁ ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ଦେଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଏହି ପୁରସ୍କାର ଓଡ଼ିଶା ମିଲେଟସ୍‌ ମିଶନକୁ ଅଧିକ ପାରଦର୍ଶିତାର ସହ କାର୍ଯ୍ୟ ସଂପାଦନରେ ସହାୟକ ହେବା ସହିତ ଜନଜାତି ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳାମାନଙ୍କୁ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

Share This Article