ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଚିଲିକା ବ୍ଲକ ଘେରିଲା ବିଜେପି

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ପ୍ରତିବାଦରେ ବିଜେପି ପକ୍ଷରୁ ଚିଲିକା ବ୍ଳକ ଘେରାଉ କରାଯାଇଛି। ଦଳୀୟ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ବଢିଚାଲିଥିବା ବେଳେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ପରିମଳ ବ୍ୟବସ୍ଥାରେ ଦୁର୍ନୀତି ସାଙ୍ଗକୁ ଜଳ ସେଚନରେ ଅବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାନାଦି ସ୍ଲୋଗାନ ଦିଆଯାଇ ବ୍ଲକ ଘେରାଉ କରାଯାଇଥିଲା।

ଏହି ଅପାରଗତା ସରକାର ଅମଳରେ ଶିକ୍ଷା,ସ୍ୱାସ୍ଥ୍ୟ,ବେକାରୀ ସମସ୍ୟା ଚରମ ସୀମାରେ ପହଁଚିଛି। ଶାସକ ଦଳର ନେତା କର୍ମୀ ଅପକର୍ମରେ ଲିପ୍ତ ରହିଛନ୍ତି।କୌଣସି ପ୍ରକଳ୍ପ ପାରିତ ହେବାପୁର୍ବରୁ ନାଁ ଗ୍ରାମସଭା ଅବା ପଲ୍ଲୀ ସଭା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁନାହିଁ।ଏଭଳି ଅନେକ ଅଭିଯୋଗ ନେଇ ରଣହୁଙ୍କାର ଦେଇଛି ବିଜେପି। ଏଥିସହିତ ଏସବୁ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବାସହ ଟାଳଟୁଳ ନୀତି ବନ୍ଦ କରି ସୁଚାରୁରୂପେ କାର୍ଯ୍ୟ ପ୍ରତିପାଦନ କରିବାକୁ ବିଜେପି ପକ୍ଷରୁ କୁହାଯାଇଛି। ଯଦି ଏଥିରେ ଖିଲାପ ହୁଏ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା  ଜ୍ୟୋତ୍ସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ତଥା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share This Article