ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ଶରତ ଉତ୍ସବ-୨୦୨୩’ ପାଳିତ

Odisha Hot News
2 Min Read

ଭୁବନେଶ୍ଵର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ” ଶରତ ଉତ୍ସବ-୨୦୨୩ ” ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଓଡ଼ିଆ ସାହିତ୍ୟରେ ବିଭିନ୍ନ କବିଙ୍କ ବର୍ଣ୍ଣନାରେ ଶରତ ଋତୁ କିପରି ଜନ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ସେ ସଂପର୍କରେ ସୁବିସ୍ତୃତ ଆଲୋଚନା କରିବା ସହ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଏହି ଅନନ୍ୟ ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ପ୍ରଥିତ ଯଶା କବି ଶ୍ରୀଯୁକ୍ତ ଅଭୟ ନାୟକ ଯୋଗଦେଇ ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟର ବିଶେଷତ୍ଵ ଉପରେ ଆଲୋକପାତ କରିବା ସହ ଶରତ ଋତୁ ର ସାହିତ୍ୟକ ବର୍ଣ୍ଣନା କରିଥିଲେ।

କୁଳପତି ପ୍ରଫେସର ସ୍ଵାଇଁ ତାଙ୍କ ବକ୍ତବ୍ୟରେ ଶରତ ଋତୁ ସ୍ମରଣୀୟ ପ୍ରାକୃତିକ ବିଭବ ଉପରେ ଆଲୋକପାତ କରିବା ସହ ସ୍ଵରଚିତ କବିତା ପାଠ କରିଥିଲେ। କୁଳସଚିବ ଶ୍ରୀମତି ଅନାମିକା ଅଧିକାରୀ ଶରତ ରୁତୁର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ଡଃ. ଆଶିଷ ମହାପାତ୍ର ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡଃ. ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଡଃ. ଜ୍ଞାନ ରଂଜନ ପଣ୍ଡାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ କଣ୍ଠସଂଗୀତ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ସୀତାର ବାଦନ, ବୃନ୍ଦ ତବଲା ବାଦନ ତଥା ବଂଶୀ ବାଦନର କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚିତ୍ରକଳା ବିଭାଗର ଛାତ୍ରଛାତ୍ରୀ ମାନେ ଶରତ ଋତୁ କୁ ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡଃ. ଧୀରଜ କୁମାର ମହାପାତ୍ର , ଡ଼ଃ ସମ୍ବୁରୁ ଶୋଭରା ପରିଚାଳନା କରିଥିଲେ।

Share This Article