ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଆୟୋଜିତ

Odisha Hot News
1 Min Read

ଭୁବନେଶ୍ୱର: ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଡିଏଭି ପୋଖରୀପୁଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ହିନ୍ଦୀ ଆଦି ବିଭିନ୍ନ ବିଭାଗରେ ପ୍ରାୟ ଚାରିଶହରୁ ଊର୍ଦ୍ଧ୍ୱ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ୧୫୮ଟି ପ୍ରକଳ୍ପକୁ ସେମାନଙ୍କ ଯାଦୁକରୀ ସ୍ପର୍ଶରେ ଚିତ୍ତାକର୍ଷକ ଭାବେ ଉପସ୍ଥାପନ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ପ୍ରଦର୍ଶନୀକୁ ଉଦ୍ଘାଟନ କରି ବିଦ୍ୟାର୍ଥୀଙ୍କ ପ୍ରତିଭା ବିକାଶର ଏହା ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କହିଥିଲେ।

ବିଦ୍ୟାଳୟ ପରିଚାଳନା ସମିତିର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପିଲାମାନଙ୍କ ସୃଜନଶୀଳତା ତଥା ବୌଦ୍ଧିକ ବିକାଶ ନିମନ୍ତେ ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ରଛାତ୍ରୀଙ୍କର ଏତାଦୃଶ ଅଭିନବ ପ୍ରକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିବା ସହ ସେମାନେ ସମାଜ ପାଇଁ ନୂତନ ଦିଗ୍.ଦର୍ଶକ ସାଜନ୍ତୁ ବୋଲି ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ବିଭାଗର ପ୍ରକଳ୍ପ ଗୁଡ଼ିକ ବିଚାରକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ସାମଲଙ୍କ ସଂଯୋଜନାରେ ଏହି ବାର୍ଷିକ ପ୍ରଦର୍ଶନୀ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Share This Article