ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଜୁନ୍ ୧୭ ଯାଏଁ ବନ୍ଦ ରହିବ

Odisha Hot News
2 Min Read

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏପ୍ରିଲ ୩୦ ଯାଏ ରାଜ୍ୟରେ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ଏକ ଶତାବ୍ଦି ମଧ୍ୟରେ ମାନବ ସମାଜର ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛି। ଜୀବନଯାତ୍ରା ଆଉ ଆଗଭଳି ନାହିଁ। ଏହାକୁ ବୁଝିବା ସହିତ ସାହସର ସହ ମୁକାବିଲା ଦିଗରେ କାମ କରିବା ଦରକାର। ଜଗନ୍ନାଥଙ୍କ ଆର୍ଶିବାଦ ଓ ସମସ୍ତଙ୍କ ତ୍ୟାଗ ହିଁ ଏହି କଠିନ ପରିସ୍ଥିତିରୁ ଶୀଘ୍ର ମୁକୁଳାଇବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଓଡ଼ିଶାବାସୀଙ୍କ ମୋର ନମସ୍କାର। ଆପଣମାନେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବେ ସହଯୋଗ ଏବଂ ସମର୍ଥନ କରିଛନ୍ତି ସେଥିପାଇଁ ଧନ୍ୟବାଦ। ତେବେ ଏଥିପାଇଁ ଆମ ସମସ୍ତଙ୍କୁ କଷ୍ଟ ସହିବାକୁ ପଡ଼ୁଛି। କିନ୍ତୁ ପରିସ୍ଥିତିର ମୁକାବିଲା ପାଇଁ ଏହାହିଁ ଏକମାତ୍ର ଉପାୟ। ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ତା ପରଠାରୁ ଆଜି ଭିତରେ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏସବୁ ଭିତରେ ଓଡ଼ିଶାର ଜନସାଧାରଣଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ଶକ୍ତି ଦେଇଛି। ଇତିମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳି ଦେଶ ଆମେରିକାରେ କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ସେଠାରେ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ୍‌ ଘୋଷଣା କରାଯାଇନାହିଁ। ଆମକୁ କିନ୍ତୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ଏହି କଠିନ ପରିସ୍ଥିତିରେ ରାଜ୍ୟ କ୍ୟାବିନେଟ ଗୁରୁବାର ମଣିଷ ଜୀବନକୁ ଅଧିକ ଗୁରୁତ୍ୱ ଦେଇ ଆବଶ୍ୟକ ନିଷ୍ପତ୍ତି ନେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟ ସୀମାକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ ମଧ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ସୁପାରିଶ କରିଛି। ସେହିଭଳି ଏହି ପର୍ଯ୍ୟନ୍ତ ଟ୍ରେନ୍‌, ବିମାନ ସେବା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ଏକ ଶତାବ୍ଦି ମଧ୍ୟରେ ମାନବ ସମାଜର ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛି। ଜୀବନଯାତ୍ରା ଆଉ ଆଗଭଳି ନାହିଁ। ଏହାକୁ ବୁଝିବା ସହିତ ସାହସର ସହ ମୁକାବିଲା ଦିଗରେ କାମ କରିବା ଦରକାର। ଜଗନ୍ନାଥଙ୍କ ଆର୍ଶିବାଦ ଓ ସମସ୍ତଙ୍କ ତ୍ୟାଗ ହିଁ ଏହି କଠିନ ପରିସ୍ଥିତିରୁ ଶୀଘ୍ର ମୁକୁଳାଇବ ବୋଲି ସେ କହିଛନ୍ତି।

Share This Article
Leave a Comment