ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ, ୭୨ବର୍ଷୀୟ ବୃଦ୍ଧଙ୍କ ୬ ତାରିଖରେ ଏମ୍‌ସରେ ମୃତ୍ୟୁ

Odisha Hot News
3 Min Read

ଭୁବନେଶ୍ବର: ରାଜ୍ୟରେ କରୋନା(କୋଭିଡ୍‌-୧୯)ରେ ପ୍ରଥମ ମୃତ୍ୟୁ ହୋଇଛି। ଭୁବନେଶ୍ବର ଝାରପଡ଼ାର ୭୨ବର୍ଷର ‌ଜଣେ ବ୍ୟକ୍ତି ଗତକାଲି ଏମ୍‌ସରେ ପ୍ରାଣ ହରାଇଛନ୍ତି। ଜ୍ବର ଓ ନିଶ୍ବାସ ପ୍ରଶ୍ବାସରେ ଯନ୍ତ୍ରଣା ପାଇଁ ଗତ ୪ ତାରିଖରେ ତାଙ୍କୁ ଏମ୍‌ସରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ତାଙ୍କର ଶବ ସତ୍କାର କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍‌ସ ଭୁବନେଶ୍ବର ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଗତ ୪ ତାରିଖ ଦିନ ଗୋଟାଏରେ ବ୍ୟକ୍ତି ଜଣକ ଏମ୍‌ସକୁ ଆସିଥିଲେ। ଜ୍ବର ଓ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଉଥିବା କାରଣରୁ କୋଭିଡ୍‌-୧୯ ଲକ୍ଷଣ ସନ୍ଦେହରେ ତାଙ୍କୁ ତୁରନ୍ତ ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଅକ୍ସିଜେନ ଓ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ତାଙ୍କ କୋଭିଡ୍‌-୧୯ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଥିଲା। ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଜଣକ କରୋନା ପଜିଟିଭ୍ ଥିବା ଏମ୍‌ସ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ତେବେ ରିପୋର୍ଟର ଅଧିକ ତର୍ଜମା ପାଇଁ ଆରଏମ୍‌ଆରସିକୁ ପଠାଯାଇଥିଲା। ଆଜି ଆର୍‌ଏମ୍‌ଆରସି ପକ୍ଷରୁ ନମୁନା ପଜିଟିଭ୍ ରହିଥିବା ଘୋଷଣା କରାଯାଇଥିଲା। ସଂପୃକ୍ତ ବ୍ୟକ୍ତିଜଣକ ଆରମ୍ଭରୁ କରୋନା ସନ୍ଦିଗ୍ଧ ରହିଥିବାରୁ ହସ୍ପିଟାଲର ସଂକ୍ରମଣ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପ୍ରୋଟୋକଲ୍‌କୁ ଅନୁସରଣ କରାଯାଇଥିବା ଏମ୍‌ସ କର୍ତୃପକ୍ଷ କହିଛନ୍ତି। ଏହାସହ ପୂର୍ବରୁ ମଧ୍ୟ ସୂର୍ଯ୍ୟନଗରର ୬୦ ବର୍ଷର ବ୍ୟକ୍ତି ଏମ୍‌ସରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଓ ଧୀରେ ଧୀରେ ସୁଧୁରୁଥିଲେ ହେଁ ସେ ସଂପୂର୍ଣ୍ଣ ବିପଦମୁକ୍ତ ହୋଇ ନ ଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଆଜି ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଭଳି ଶବ ସତ୍କାର କରାଯିବ, ସେ ସଂପର୍କରେ ସୂଚନା ଦିଆଯାଇଛି। କୋଭିଡ୍‌-୧୯ ପାଇଁ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସତ୍କାର କରାଯିବ। ଏମ୍‌ସ କର୍ତୃପକ୍ଷ ବିଧିବଦ୍ଧ ଭାବେ କାର୍ଯ୍ୟ ସମାପ୍ତ କରିବା ପରେ ଶବ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଶବ ସତ୍କାର ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯିବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି। ସେହିପରି ରାଜଧାନୀରେ ଆଜି ଆଉ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ୟୁନିଟ୍-୪ ମଧୁସୂଦନ ନଗରର ୪୫ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଛି। ତହିଁରୁ କେବଳ ଭୁବନେଶ୍ବରରେ ୩୪ଜଣ, ଭଦ୍ରକରୁ ୩, କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ଯାଜପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରାଜଧାନୀର ୨ଜଣ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। କରୋନା ସନ୍ଦିଗ୍ଧରେ ୮୬ ଜଣ ବିଭିନ୍ନ ଚିକିତ୍ସାଳୟ‌‌‌ରେ ପୃଥକବାସ‌‌‌ରେ ରହିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨୧୨ନମୁନା ପରୀକ୍ଷା କରାଯାଇଛି।

Share This Article
Leave a Comment