ବଳିଆ ଯୋଜନା ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟରେ ବୁଣାକାରଙ୍କ ପାଇଁ ଲାଗୁ ହୋଇଥିବା ବଳିଆ ଯୋଜନର ଋଣ ରାଶିକୁ ବୃଦ୍ଧି କରାଯାଇଛି। ଏହା ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ବୁଣାକାରମାନେ ବଳିଆ ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର ଋଣ ପାଉଥିଲେ। ହେଲେ ଏହାକୁ ଦୁଇ ଗୁଣ କରାଯାଇଛି।

ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା (BALIA)”, ୨୦୨୨-୨୩ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବୁଣାକାରଙ୍କ ନିମନ୍ତେ ଘୋଷଣା କରାଯାଇଥିବା ସ୍ଵତନ୍ତ୍ର ପ୍ୟାକେଜ ଅନୁଯାୟୀ ପ୍ରଣୟନ କରାଯାଇଅଛି । ଏହି ଯୋଜନା ମାଧ୍ୟମରେ ୧୮-୭୦ ବର୍ଷ ବୟସ ମଧ୍ୟରେ ସମସ୍ତ ବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।

ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ,  ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ସହିତ ନିଜର ଉତ୍ପାଦନ ଏବଂ ବିପଣନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବୁଣାକାରର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାରେ ବୃଦ୍ଧି  ଆଣିବା ଦରକାର ପଡୁଥିଲା ଓ ଏଥିପାଇଁ ପଚାଶ ହଜାର ଟଙ୍କା ଯଥେଷ୍ଟ ହେଉନଥିଲା। ତେଣୁ ଋଣ ରାଶିକୁ ପଚାଶ ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଏହି ଯୋଜନାର ନିୟମାନୁଯାୟୀ ବୁଣାକାରମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀପୁଞ୍ଜି ବିନା ସୁଧରେ ରଣ ଆକାରରେ ବ୍ୟାଙ୍କ ରୁ ପାଇପାରିବେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ଦ୍ୱାରା ହିତାଧିକାରୀଙ୍କ ଆୟ ଏବଂ ଜୀବନଧାରଣର ମାନ ବୃଦ୍ଧି ପାଇବ।

Share This Article