ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୫୯ ଜଣ ଶ୍ରମିକଙ୍କୁ ୧ କୋଟି ୧୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

Odisha Hot News
2 Min Read

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୭୨ ଜଣ ଶ୍ରମିକଙ୍କ ଉତ୍ତରାଧିକାରୀ ବା ମନୋନିତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୭୫ ଲକ୍ଷ ୭୦ ହଜାର ଟଙ୍କା, ବିବାହକାଳୀନ ସହାୟତା ବାବଦରେ ୭୨ ଜଣଙ୍କୁ ୩୪ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୦୭ ଜଣଙ୍କୁ ୭ ଲକ୍ଷ ୬୭ ହଜାର ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୮ ଜଣଙ୍କୁ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ସର୍ବମୋଟ ୨୫୯ ଜଣଙ୍କୁ ୧ କୋଟି ୧୮ ଲକ୍ଷ ୬୭ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶେ୍ୱତାସ୍ନିଗ୍ଧା ମିଶ୍ର, ମୁଖ୍ୟ ଅତିଥି ଏବଂ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶାର ଶ୍ରମ ଆୟୁକ୍ତ ଡାକ୍ତର ଏନ .ତିରୁମାଲା ନାୟକ ଓ ଅତିରିକ୍ତ ଶ୍ରମ ଆୟୁକ୍ତ ନୀଳାମ୍ବର ମିଶାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୪୩ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।

ଏହି ଶିବିରକୁ ବିଭାଗିୟ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଶ୍ରୀ ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ୱାଳ ସ୍କିମ ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ରଶ୍ମିତା କୁମାରୀ ପାତ୍ର, ବିକାଶ କୁମାର ନାୟକ ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ଶିବ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ପରିଶେଷରେ ପିପାସା ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ, ଭୁବନେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ।

 

Share This Article