ଷଷ୍ଠୀ ଓଷାରେ ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭାଗବତୀ, ଲାଗି ହେଲା ଛଅ ପ୍ରକାର ବ୍ୟଞ୍ଜନ

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ମନ୍ଦିରଗଣକଙ୍କ ଗଣନାନୁସାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥି ବୁଧବାର ଶୁଭଲଗ୍ନ ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆର ସହ ନିଜ ମନ୍ଦିରକୁ ବିଜେ କଲେ ମା’ ଭଗବତୀ। ପରିଛା ସାଆନ୍ତ ପ୍ରକାଶ ଚନ୍ଦ୍ର ମହାପାତ୍ର କଳସ, ଷଡ଼ ମୁଖ ଦୀପ ଧୂପ, ଗୁଆପଇତା ମଣ୍ଡଳରେ ସ୍ଥାପନ କରି ମା’ଙ୍କୁ ଷଷ୍ଠୀଦେବୀ ଭାବରେ ଆବାହନ କରି ପ୍ରଥମେ ବଲ୍ଲଭ,ଆଳତୀ ପରେ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରିଥିଲେ।

ମା’ଙ୍କୁ ଛଅ ପ୍ରକାର ଫଳ ସାକର, ନଡ଼ିଆ ପାତି ଛଅଟି ପଇଡରେ ପ୍ରଥମେ ଆପ୍ୟାୟିତ କରାଯାଇ ଆଳତୀ ବନ୍ଦାପନା ପରେ ଛଅ ପ୍ରକାର ଶଙ୍କୁଡ଼ି ନୈବେଦ୍ୟ ଖେଚ଼ଡ଼ି ,ଡାଲି, ମାଛମହୁର ମାଛ ଗୁଣ୍ଡି ଭଜା, ଆମ୍ବିଳ, ଶାଗ ମୁଗ, ଖିରି ଏଣ୍ଡୁରୀ ଇତ୍ୟାଦି ବାଞ୍ଜନ ଧୂପ ହୋଇଥିଲା। ପରେ ଆଳତୀ ବଢିସେବାୟତ ଓ ଶ୍ରଦ୍ଧାଳୁମାନେ ଷଠି କନା ସୂତା ଗ୍ରହଣ କରି ସଂକଳ୍ପ କରିଥିଲେ। ଅଗଣିତ ଶ୍ରଦ୍ଧାଳୁମାନେ ମା’ଙ୍କ ସହିତ ଶୋଭାଯାତ୍ରାରେ ଗଲାବେଳେ ହୁଳହୁଳି, ହରିବୋଲ ଧ୍ବନୀ ସହିତସଂକାର୍ତ୍ତନ ମଣ୍ଡଳୀ ବଡ଼ ଢୋଲବାଦ୍ୟ ମହୁରୀ ଶବ୍ଦରେ ବାଣପୁର ବଡ଼ ଦାଣ୍ଡ ଉଛୁଳି ପଡୁଥିଲା।

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ସଂଗଠକ ବିକ୍ରମ କେଶରୀ ଜେନା, ବାଣପୁର ଥାନାଧିକାରୀ ମନ୍ଦିର ଟ୍ରଷ୍ଟି ରମେଶ କୁମାର ଦେବତାଙ୍କ ସହଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡଃ ରମାକାନ୍ତ ନାୟକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନୀ ଜେନା ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ।

Share This Article