ସ୍ତ୍ରୀ କୁ ନିର୍ମମ ହତ୍ୟା: ପ୍ରମାଣ ଲୁଚାଇବା ପାଇଁ ଖଣ୍ଡ ବିଖଣ୍ଡିତ ଶରୀରକୁ ନଦୀରେ ଫିଙ୍ଗିଲା ସ୍ଵାମୀ

Odisha Hot News
1 Min Read

ବ୍ରହ୍ମପୁର (କୈଳାସ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀ କୁ ସ୍ବାମୀ ହତ୍ୟା କରିବା ପରେ ଟାଙ୍ଗିଆରେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଭସାଇଦେଇଥିବା ଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ନାରାୟଣ ମୁଳି ଗତ ୩ ମାସ ତଳେ କୋଦଳା ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମର ବୁଲି ମୁଳିଙ୍କୁ ହିନ୍ଦୁ ବୈଦିକ ରୀତିରେ ବିବାହ କରିଥିଲେ। ସୋରଡ଼ା ସ୍ଥିତ ପଞ୍ଚାନନ ମନ୍ଦିରରେ ଉଭୟ ପରିବାରଙ୍କ ଉପସ୍ଥିତିରେ ନାରାୟଣ ଓ ବୁଲିଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବାହାଘର ପରେ ନାରାୟଣ ଅନେକ ସମୟ ଶ୍ଵଶୁର ଘରେ ରହୁଥିଲେ। ଗତ ଦୁଇ ଦିନ ତଳେ ଉଭୟେ ଜାଗିଲିପଦର ଗ୍ରାମକୁ ଆସିଥିଲେ।

କିନ୍ତୁ କ’ଣ ହେଲା କେଜାଣି ଗତ ବୁଧବାର ରାତିରେ ଏକ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ଏତେ ଉଗ୍ରରୂପ ନେଇଥିଲା ଯେ, ସ୍ବାମୀ ନାରାୟଣ ବୁଲିଙ୍କ ତଣ୍ଟି ଚିପି ଦେଇଥିଲେ। ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଏକ ଟାଙ୍ଗିଆରେ ମୃତକଙ୍କ ବିଭିନ୍ନ ଅଙ୍ଗକୁ କାଟି ପ୍ରମାଣ ଲିଭାଇବା ପାଇଁ ନିକଟସ୍ଥ ରୁଷିକୁଲ୍ୟା ନଦୀରେ ଭଷାଇ ଦେଇ ସକାଳୁ ସକାଳୁ ସ୍ତ୍ରୀ ନିରୁଦିଷ୍ଟ ବୋଲି ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ନାରାୟଣଙ୍କୁ ଥାନାରେ ଜେରା କରିବା ବେଳେ ସେ ନିଜେ ହିଁ ହତ୍ୟା କରିଥିବା ସ୍ବୀକାର କରିଥିଲା। ପୋଲିସ ନାରାୟଣକୁ ନେଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ସେଠାରୁ ଏକ ଟାଙ୍ଗିଆ ଜବତ କରିଛି ଓ ଅଗ୍ନିଶମ ବିଭାଗ ଜରିଆରେ ଶବ ଉଦ୍ଧାର ଚେଷ୍ଟା ଜାରି ରଖିଛି। ଏଥି ସହିତ ହତ୍ୟାକାରୀ ନାରାୟଣକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Share This Article