କଏଦୀଙ୍କୁ ବଣ୍ଟାଯିବ ସାନିଟାଇଜର, ମାସ୍କ

Odisha Hot News
1 Min Read

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ କଏଦୀମାନଙ୍କୁ ଭିଡିଓ କନ୍‌ଫରେନ୍ସରେ ହାଜର କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଏକ ଚିଠି କରାଯାଇ ଗାଇଡଲାଇନ୍‌ ଜାରି କରାଯାଇଥିଲା। ହେଲେ ସୋମବାର ଭୁବନେଶ୍ୱର କୋର୍ଟରେ ମାମଲାର ବିଚାର ପାଇଁ ଏକଦୀମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା। ଭୁବନେଶ୍ୱର ବାର ଆସୋସିଏଶନର ପୂର୍ବତନ ସଭାପତି ଦୁର୍ଗାମାଧବ ମିଶ୍ର କହିଛନ୍ତି ଯେ, ସ୍ଥାନୀୟ କୋର୍ଟରେ ପ୍ରବଳ ଗହଳି ରହିଥିବାରୁ କଏଦୀମାନଙ୍କୁ ବ୍ୟକ୍ତିଗତ ହାଜର କରିବା ଠିକ୍‌ ନୁହେଁ। ସରକାରୀ ଗାଇଡ୍‌ଲାଇନକୁ ନ ମାନି କଏଦୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଜେଲ ବିଭାଗ ବୋଲି ମିଶ୍ର କହିଛନ୍ତି। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, କୋର୍ଟରେ କଏଦୀଙ୍କୁ ବ୍ୟକ୍ତିଗତ ଭାବେ ନା ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହାଜର କରାଯିବ ସେନେଇ ବିଚାରପତି ମାମଲାର ଗୁରୁତ୍ୱକୁ ଦେଖି ନିଷ୍ପତ୍ତି ନେବେ।
ଜେଲ ବିଭାଗ କଏଦୀଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି। ରାଜ୍ୟର ୯୦ ଜେଲର କଏଦୀଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟାଯିବ। ବର୍ତ୍ତମାନ ପ୍ରତି କଏଦୀଙ୍କୁ ସାବୁନ ଦିଆଯିବା ସହ ହାତ ଧୋଇବାକୁ କୁହାଯାଇଛି। ଯଦି କୌଣସି ରୋଗୀଙ୍କୁ କରୋନା ହୋଇଥିବା ନେଇ ସଙ୍କେତ ମିଳିବ, ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯିବ ବୋଲି ଉପାଧ୍ୟାୟ ସୂଚନା ଦେଇଛନ୍ତି। ସୋମବାର ଭୁବନେଶ୍ୱର କୋର୍ଟରେ ଶତାଧିକ ଲୋକଙ୍କ ଗହଳି ହେବା ସହ ଓକିଲମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଫଳରେ କରୋନା ସଂକ୍ରମଣ ହେବା ଅଧିକ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟକୁ ବନ୍ଦ କରାଯାଇଛି। ତେବେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜରୁରୀ ମାମଲାର ଶୁଣାଣି କରାଯିବ। ହେଲେ କେବଳ ଉଭୟ ପକ୍ଷ ଏବଂ ସେମାନଙ୍କ ଓକିଲ କୋର୍ଟ ଭିତରକୁ ଯାଇପାରିବେ।

Share This Article
Leave a Comment