ଓଡ଼ିଶାରେ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଭିଡିଓ କନଫରେନ୍‌ସିଂରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Odisha Hot News
4 Min Read

କଟକ : ଖେଲୋ ଇଣ୍ଡିଆ ଦ୍ବାରା ଖେଳ ପ୍ରତି ଆକର୍ଷଣ ବଢ଼ିବ। ଯୁବ ପ୍ରତିଭାଙ୍କୁ ଆଗକୁ ଆସିବା ପାଇଁ ଭଲ ସୁଯୋଗ। ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଗୋଟିଏ ପାଦ ଆଗକୁ ବଢ଼ିପାରିଛି। ୨୦୧୮ରେ ହୋଇଥିବା ଖେଲୋ ଇଣ୍ଡିଆରେ ୩୫୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ତିନିବର୍ଷ ପରେ ଏହି ସଂଖ୍ୟା ଦ୍ବିଗୁଣା ହୋଇପାରିଛି। କେବଳ ‌କ୍ରୀଡ଼ାବିତ୍‌ଙ୍କ ସଂଖ୍ୟା ବଢିନି ଖେଳ, ଖେଳାଳିଙ୍କ ପରି ଭିତ୍ତିଭୂମିରେ ମଧ୍ୟ ସୁଧାର ଆସିପାରିଛି। କେବଳ ବିଦ୍ୟାଳୟସ୍ତରରେ ୮୦ କୀର୍ତ୍ତିମାନ ଭଙ୍ଗାଯାଇପାରିଛି। ସେଥିମଧ୍ୟରୁ ୫୬ କୀର୍ତ୍ତିମାନ ଝିଅମାନେ ଭାଙ୍ଗିପାରିଛନ୍ତି। ଏହା ଆମ ପାଇଁ ଆଉ ଏକ ‌ଗୌରବର ବିଷୟ। ଏହି ଅଭିଯାନ ଦ୍ବାରା ଯେଉଁ ଖେଳାଳିମାନେ ଆଗକୁ ଆସିଛନ୍ତି, ସେମାନେ କୌଣସି ବଡ଼ ଅନୁଷ୍ଠାନ କିମ୍ବା ବଡ଼ ଘରୁ ଆସିନାହାନ୍ତି, ବରଂ ଗରିବ ଓ ଛୋଟ ଘରୁ ପିଲାମାନେ କଠିନ ପରିଶ୍ରମ କରି ସାମ୍ନାକୁ ଆସିପାରିଛନ୍ତି। ଦେଶ ପାଇଁ ଏମାନେ ନୂଆ ଆଶା ଆଣିଛନ୍ତି। ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‌ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ସେ ଯୁବ କ୍ରୀଡ଼ାବିତ୍‌ଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଖେଲୋ ଇଣ୍ଡିଆ ଆୟୋଜନ କରି ଓଡ଼ିଶା ଇତିହାସ ରଚିଛି। ଭାରତରେ ଖେଲୋ ଇଣ୍ଡିଆର ପ୍ରକୃତ ଆରମ୍ଭ ଆଜିଠୁ ହୋଇଛି। ଏହା ଭାରତୀୟ ଖେଳ ଇତିହାସରେ ଏକ ଐତିହାସିକ ପଦକ୍ଷେପ। ଆସନ୍ତା ଦିନରେ ୨୦୦ରୁ ଅଧିକ ସ୍ବର୍ଣ୍ଣ ଜିତିବା ପାଇଁ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ। ତେଣୁ ନିଜ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ବର୍ତ୍ତମାନ ସମୟ ଆସିଛି। ଏଥିସହ ନିଜ ସାମର୍ଥ୍ୟକୁ ଉଚ୍ଚସ୍ତରକୁ ନେବା ପାଇଁ ସମସ୍ତ କ୍ରୀଡ଼ାବିତ୍‌ ପ୍ରୟାସ କରିବେ। ପ୍ରତିଯୋଗିତାକୁ ଓହ୍ଲାଇବା ପୂର୍ବରୁ ପ୍ରତ୍ୟେକ ପ୍ରତିଯୋଗୀ ନିଜ ସହ ପ୍ରଥମେ ପ୍ରତିଦ୍ବନ୍ଦ୍ବିତା କରିବା ଦରକାର। ଭୁବନେଶ୍ବରରେ କରିଥିବା ପରିଶ୍ରମ, ତୁମର ଓ ତୁମ ପରିବାର ସହ ଭାରତର ସ୍ବପ୍ନକୁ ଆଗକୁ ନେଇପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୂତିଚାନ୍ଦଙ୍କ ପରି ଧାବିକା ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି। ଏହା ସମସ୍ତ ଖେଳାଳିଙ୍କୁ ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ପ୍ରେରିତ କରିବ। ଖେଲୋ ଇଣ୍ଡିଆ ମାଧ୍ୟମରେ ଏହା ଖେଳ ଆନ୍ଦୋଳନର ଆରମ୍ଭ। ଆଗାମୀ ୫-୬ ବର୍ଷ ମଧ୍ୟରେ କ୍ରୀଡ଼ାର ପ୍ରୋତ୍ସାହନ ଓ ଅଂଶଗ୍ରହଣ କ୍ଷେତ୍ରରେ ବୃଦ୍ଧି କରାଯିବାକୁ ନିରନ୍ତର ଉଦ୍ୟମ ହେଉଛି। ପ୍ରତ୍ୟେକ ସ୍ତରରେ ପ୍ରତିଭା ଚୟନ ପାଇଁ ସ୍ବଚ୍ଛତା ଅବଲମ୍ବନ କରାଯାଉଛି। ତେଣୁ ଖେଲୋ ଇଣ୍ଡିଆ ମାଧ୍ୟମରେ ଯୁବ ପ୍ରତିଭାମାନଙ୍କୁ କିଛି କରିଦେଖାଇବାକୁ ସୁଯୋଗ ସୃଷ୍ଟି କରାଯାଉଛି। ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଏକାଡେମୀରେ ରଖାଯାଇ ଉନ୍ନତମାନର ‌ପ୍ରଶିକ୍ଷଣ ଦିଆଯାଉଥିବା ସେ କହିଥିଲେ।

ଦେଶର ଖେଳ ଓ ଖେଳାଳିମାନଙ୍କ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ମୋବାଇଲ ଆପ୍‌ ଖୋଲାଯାଇଛି। ସମସ୍ତ ‌ଜନସାଧାରଣ ଏହି ଆପ୍ ମାଧ୍ୟମରେ ପ୍ରତ୍ୟେକ ଖେଳାଳିଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରନ୍ତୁ। ଏହାଦ୍ବାରା ଅଲିମ୍ପିକ ପୋଡିୟମ ଯୋଜନା ମାଧ୍ୟମରେ କ୍ରୀଡ଼ାବିତ୍‌ଙ୍କୁ ଅଧିକମାତ୍ରାରେ ପ୍ରସ୍ତୁତ ହେବା ପାଇଁ ପ୍ରେରଣା ଯୋଗାଇବ। ଏହି ଯୋଜନା ମାଧ୍ୟମରେ ୧୦୦ରୁ ଅଧିକ ‌କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ସହାୟତା ପାଉଛନ୍ତି। ଆମ ଦେଶର କ୍ରୀଡ଼ାବିତ୍‌ମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା, ଯୁବ ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଇତ୍ୟାଦିରେ ଅଂଶଗ୍ରହଣ କରି ୨୦୦ରୁ ଅଧିକ ପଦକ ଜିତିସାରିଲେଣି। ତେଣୁ କେବଳ ପାଠପଢା ମଧ୍ୟରେ ଯୁବପିଢି ସୀମିତ ନରହି, ଖେଳ ପ୍ରତି ଆଗ୍ରହ ଦେଖାନ୍ତୁ ଓ ନିଜର ଶାରୀରିକ ଦକ୍ଷତାକୁ ମଧ୍ୟ ବଢାଇବା ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ କରିବା ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ ଏଠାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ପ୍ରତିଦ୍ବନ୍ଦୀମାନେ ଅଧିକରୁ ଅଧିକ ପଦକ ଜିତନ୍ତୁ ଓ ଏଠାରୁ ଯିବା ବେଳେ ସୁଖଦ ସ୍ମୃତି ସାଙ୍ଗରେ ନେଇ ଯିବାକୁ ମୁଖ୍ୟମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି। ସମ୍ମାନିତ ଅତିଥି ଭାବେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଯୋଗଦେଇ ଏଠାକାର ଆୟୋଜନକୁ ପ୍ରଶଂସା କରିଥିଲେ। କ୍ରୀଡ଼ାକୁ ଏଠାରେ ଯେଉଁଭଳି ପ୍ରୋତ୍ସାହନ ମିଳୁଛି, ଏହାଦ୍ବାରା ଭାରତକୁ ବିଶ୍ବସ୍ତରରେ କ୍ରୀଡ଼ା କ୍ଷେତ୍ରରେ ସୁପରପାୱାର ଭାବେ ପରିଚୟ ବନାଇବା ପାଇଁ କାର୍ଯ୍ୟ କରିବ। ଏଥିସହିତ ଆଗକୁ ଏଠା‌େର ଯେପରି ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅ‌ାୟୋଜନ ହୋଇପାରିବ ତାହା ଲକ୍ଷ୍ୟ ରଖାଯିବା ଆବଶ୍ୟକ ବୋଲି ରିଜିଜୁ କହିଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡ଼ିଶାର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ ପାଇଁ ଓଡ଼ିଶା ଆଗକୁ ବଢିବା ଦରକାର ବୋଲି କହିଥିଲେ। ଏଥିସହିତ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ମିଳୁଥିବାରୁ ଆଗକୁ ଭାରତ ଅଲିମ୍ପିକ୍ସରେ ଅଧିକ ପଦକ ଆଣୁ ଏବଂ ଓଡ଼ିଆ ଝିଆ ଦୂତିଚାନ୍ଦ ସ୍ବର୍ଣ୍ଣ ଜିତନ୍ତୁ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କେନ୍ଦ୍ର କ୍ରୀଡ଼ା ବିଭାଗ ସଚିବ ରାଧେଶ୍ୟାମ ଜୁଲାନିଆ ଓ ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ବିଶାଲ ଦେବ ଉପସ୍ଥିତ ଥିଲେ। ଖେଲୋ ଇଣ୍ଡିଆ ମଶାଲ ଶୋଭାଯାତ୍ରା ପରେ ଓଡ଼ିଆ ଧାବିକା ଅଲମ୍ପିଆନ୍‌ ଦୂତିଚାନ୍ଦ କ୍ରୀଡ଼ାବିତ୍‌ଙ୍କୁ ଶପଥପାଠ କରାଇଥିଲେ। ଶେଷରେ ବିଭିନ୍ନ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।

Share This Article
Leave a Comment