ଭୁବନେଶ୍ୱର ଏମ୍ସର ହିନ୍ଦୀ ପ୍ରୀତି ବିରୋଧରେ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେଡି ପ୍ରତିନିଧି ଦଳ

Odisha Hot News
2 Min Read

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)। ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷାକୁ ମେଡିକାଲ କାର୍ଯ୍ୟାଳୟରେ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ କର୍ମଚାରୀମାନଙ୍କ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ସରକାରୀ ଭାଷା ଅଧିନିୟମ ୧୯୭୬ ଅନୁଯାୟୀ, ଏଣିକି ମେଡିକାଲ କର୍ମଚାରୀମାନେ ହିନ୍ଦୀ ଭାଷାରେ ଚିଠି ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ କରାଯାଇଛି।   ହେଲେ ଏମ୍ସରେ ଓଡ଼ିଆ ବଦଳରେ ସମସ୍ତ କାର୍ଯ୍ୟ ହିନ୍ଦୀରେ କରିବାକୁ ନିର୍ଦ୍ଦେଶ ଦେବା କେତେଦୂର ଯୁକ୍ତିଯୁକ୍ତ? ଏହାର ପ୍ରତିବାଦ କରିଛି ବିଜୁ ଜନତା ଦଳ । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ  ନିର୍ଦ୍ଦେଶକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ଲୋକସଭା ସାଂସଦ ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ , ସରୋଜିନୀ ହେମରମ୍ ପ୍ରମୁଖ ଏମ୍ସ ଗସ୍ତ କରିଥିଲେ । ଏହାସହିତ ଭୁବନେଶ୍ୱରର ଦୁଇ ବିଧାୟକ ଉପସ୍ଥିତ ରହି ଓଡିଶାର ଏମ୍ସରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏଥିସହ ବିଜେଡି ପକ୍ଷରୁ ଜାରି ଏହି ସ୍ମାରକପତ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ପଠାଯାଇଛି।

ବିଜୁ ଜନତା ଦଳ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ଏମ୍ସ ନିର୍ଦ୍ଦେଶିକା କହିଛନ୍ତି, ଆଇନ ଅନୁସାରେ ହିନ୍ଦୀ ଭାଷା ବ୍ୟବହାର ଲାଗି ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ କର୍ମଚାରୀମାନେ ହିନ୍ଦୀ ଜାଣିଛନ୍ତି ସେମାନଙ୍କୁ ହିନ୍ଦୀ ବ୍ୟବହାର କରିବାକୁ କୁହାଯାଇଛି। ରୋଗୀଙ୍କ ସହିତ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ପୂର୍ବରୁ ଯେଭଳି ଓଡ଼ିଆ ଓ ଇଂରାଜୀ ବ୍ୟବହାର କରାଯାଉଥିଲା, ସେଭଳି ଜାରି ରହିବ। ଏମ୍ସ ନର୍ସିଂ ସ୍କୁଲରେ ପ୍ରଥମ ବର୍ଷଟି ଓଡ଼ିଆରେ ପାଠପଢ଼ା ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ପ୍ରଶ୍ନ ବିଜେଡିକୁ ପଚରାଯିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କାହିଁକି ଓଡିଆ କହି ପାରୁନାହାନ୍ତି । ଓଡିଆଙ୍କ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନାହାନ୍ତି । ରାଜ୍ୟରେ ଯଦି ଶାସନ ଇଂରାଜୀରେ ଚାଲୁଛି ଅଖିଳ ଭାରତୀୟ ସଂସ୍ଥା ଏମ୍ସରେ ହିନ୍ଦୀ କହିଲେ ଅସୁବିଧା ନାହିଁ । ଏମ୍ସରେ ହିନ୍ଦୀ ଭାଷାକୁ ନେଇ ଯଦି ବିତର୍କ ହେବା କଥା ତେବେ ନବୀନଙ୍କ ଓଡିଆ ନ କହି ପାରିବାକୁ ନେଇ ବି ବିତର୍କ ହେବା କଥା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

Share This Article
Leave a Comment