ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ମୟୂରଭଞ୍ଜ : ବାରିପଦା ମନ୍ଦିର ପାଇଁ ୫ କୋଟି ଟଙ୍କାର ପ୍ୟାକେଜ୍‌

Odisha Hot News
1 Min Read

ବାରିପଦା : ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ମୟୂରଭଞ୍ଜ। ସାଧାରଣ ନିର୍ବାଚନ ପରେ ପ୍ରଥମ ବାରିପଦା ଗସ୍ତ ଅବସରରେ ଏହାର ଆଭାସ ‌ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜିଉ ମନ୍ଦିର ପାଇଁ ଆଜି ଘୋଷଣା କରିଛନ୍ତି ୫ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌। ଏଥିସହ ୨୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ବୁଧବାର ବାରିପଦା ନିକଟସ୍ଥ ବାଙ୍କିଶୋଳଠାରେ ଆଦାନୀ-କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ ପରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ଏହି ଘୋଷଣା ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଖିଚିଂ ମନ୍ଦିର ସମେତ ଦେବକୁଣ୍ଡ ଭଳି ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ସେ ଘୋଷଣା କରିଥିଲେ। ଏଥିସହିତ, ଲୁହାଶିଳାଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ସମେତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ଇଂ. ବିଶେଶ୍ବର ଟୁଡ଼ୁ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ବିଧାୟକ ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି, କାର୍ଯ୍ୟକାରୀ ସଭାପତି ଦେବାଶିଷ ମାରାଣ୍ଡି, ସାନନ୍ଦ ମାର୍ଣ୍ଡି, ଭାଦବ ହାଁସଦା, ଜିତେନ୍ଦ୍ର ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ପ୍ରଭ‌ାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share This Article
Leave a Comment