ଓଡ଼ିଶାରେ ଲିଚୁର ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Odisha Hot News
1 Min Read

ବିହାରରେ ସଂକ୍ରମିତ ଲିଚୁ ଫଳ ଖାଇବା ଯୋଗୁଁ ଆକ୍ୟୁଟ୍ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହୋଇଛି େବାଲି କୁହାଯାଉଛି। ୧୩୪ ଜଣ ପିଲାଙ୍କର ମୃତ୍ୟୁ ହେଲାଣି। ଏହି ଘଟଣା ପରେ ଏବେ ଓଡ଼ିଶା ସରକାର ଚେତିଛନ୍ତି। ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବଜାରରେ ବିକ୍ରି ହେଉଥିବା ଲିଚୁ ଫଳରେ ବିଷାକ୍ତ ରାସାୟନିକ ପଦାର୍ଥ ଅଛି କି ନାହିଁ, ତାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଲିଚୁ ଫଳର ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଲିଚୁ ଫଳ ଯାଞ୍ଚ ପରେ ନିର୍ଦ୍ଦିଷ୍ଟ ରାସାୟନିକ ବିଷାକ୍ତ ପଦାର୍ଥ ମିଳିବା

ନେଇ ପ୍ରମାଣ ମିଳେ ତା ହେଲେ ମଣିଷ ଶରୀର ଉପରେ ତାର କୁପ୍ରଭାବ କଣ ପଡ଼ୁଛି ତାକୁ ରିପୋର୍ଟ କରିବାକୁ ମଧ୍ୟ କମିସନରଙ୍କୁ ମନ୍ତ୍ରୀ କହିଛନ୍ତି। ଆସନ୍ତାକାଲିଠାରୁ ସଚିବାଳୟରେ ଦୁଇ ଦିନିଆ ସିଡିଏମଓମାନଙ୍କର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାରୁ ଏନସେଫାଲାଇଟିସ ରୋଗକୁ ନେଇ ସରକାରଙ୍କ ଚିନ୍ତା ଗୁରୁତ୍ବ ବହନ କରୁଛି। ତେବେ ଏହି ଏଇଏସ ରୋଗ ବାସ୍ତବରେ ଲିଚୁ ଫଳ ଖାଇବା ଯୋଗୁଁ ହେଉଛି ତାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏଇଏସ ଭୂତାଣୁ ଜନିତ ରୋଗ। ବିଶେଷଜ୍ଞଙ୍କ ମତରେ ଲିଚୁ ଫଳରେ ପ୍ରଚୁର ଭିଟାମିନ ସି ରହିଛି। ଏହାସହିତ ଫ୍ରୁକଟୋସ ନାମକ ଶର୍କରା ସହିତ ପ୍ରଚୁର ପରିମାଣରେ ଜଳୀୟ ଅଂଶର ମାତ୍ରା ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଥିବା ଲିଚୁକୁ ଖାଇଲେ ଶରୀରରେ ବିଷାକ୍ତ ପ୍ରକ୍ରିୟା ସୃଷ୍ଟି ହୋଇ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ। ଲିଚୁ ଗଛରେ ଥିବାବେଳେ ଚଢ଼େଇମାନଙ୍କ ଦ୍ବାରା ସଂକ୍ରମିତ ହୋଇଥିଲେ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏହାସହିତ ଖାଲିପେଟରେ ସଂକ୍ରମିତ ଲିଚୁ ଖାଇଲେ ଅଧିକ ପ୍ରାଣଘାତି ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Share This Article
Leave a Comment