ଭଦ୍ରକ: ବିରୋଧୀ ଦଳ ଉପନେତା ତଥା ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ସୁରଜଙ୍କୁ ବିଜେପି ପ୍ରାର୍ଥୀ ଚୟନ କରିଛି । ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ । ବିଧାୟକ ସ୍ୱର୍ଗତଃ ସେଠୀଙ୍କ ଦେହାନ୍ତର ତିନି ସପ୍ତାହ ପରେ ଶୋକସନ୍ତପ୍ତ ପରିବେଶ ଭିତରେ ଉପ ନିର୍ବାଚନ ହେଉଛି । ବିଜେପିର କାର୍ଯ୍ୟକର୍ତ୍ତା, ମନ୍ତ୍ରୀ, ନେତା, ଧାମନଗରବାସୀ ଓ ପରିବାର ବର୍ଗ ସହଯୋଗରେ ଉପନିର୍ବାଚନ ଲାଗି ସୁରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ସୁରଜ ଜଣେ ଉଚ୍ଚ ଶିକ୍ଷିତ, ଆଇଟି କଂପାନୀରେ କାର୍ଯ୍ୟ କରିବା ସହ ବାପା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ନିର୍ବାଚନରେ ସାହାଯ୍ୟ ସହଯୋଗ କରୁଥିଲେ । ସୁରଜଙ୍କ ପ୍ରତିଭାକୁ ଦେଖି ବିଜେପି ପ୍ରାର୍ଥୀ ଭାବେ ଚୟନ କରିଥିବା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଦଳୀୟ ପ୍ରାର୍ଥୀ ସୁରଜଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିବା ଅବସରରେ ଯୋଗଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଏକ ଦୁଃଖ ସମୟରେ ଉପନିର୍ବାଚନ ହେଉଛି ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ମନକୁ ସୁଦୃଢ କରି ନିର୍ବାଚନ ଲଢିବାର ସାହସ ଯୋଗାଉଛନ୍ତି । ସୁରଜଙ୍କ ବିଜୟ ଲାଗି ଆଜି ସକାଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶ୍ରୀ ମହାନ୍ତି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି ସୁରଜଙ୍କୁ ଆଶୀର୍ବାଦ ଓ ଶକ୍ତି ଦିଅନ୍ତୁ । ସ୍ୱର୍ଗତଃ ବିଷ୍ଣୁ ଭାଇ ଛାଡି ଯାଇଥିବା ବିଶାଳ ପରିବାରକୁ ସୁରଜ ସୂଚାରୁ ରୂପେ ପରିଚାଳନା କରିବାର ଅସୀମ ଧୈର୍ଯ୍ୟ ଦିଅନ୍ତୁ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି । ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜକୁ ଧାମନଗରବାସୀ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇଲେ, ତାହା ସ୍ୱର୍ଗତଃ ବିଷ୍ଣୁ ଭାଇଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଭାରତୀୟ ଜନତା ପାର୍ଟିର ବିଚାରାଧାରାକୁ ଭଲ ପାଉଥିଲେ ସ୍ୱର୍ଗତଃ ସେଠୀ । ସ୍ୱର୍ଗତଃ ସେଠୀଙ୍କ ସୁପୁତ୍ର ସୂରଜ ଆସନ୍ତକାଲି ନାମାଙ୍କନ ପତ୍ର ଦାଖଲ କରିବେ । ଗଣତନ୍ତ୍ରରେ ଜନତା ମାଲିକ, କେହି ଅପାରଜୟ ନୁହେଁ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ୮ ବର୍ଷ ଶାସନ ପୂରଣ କରିଥିବାବେଳେ ରାଜ୍ୟରେ ଅପାରଗ ୨୩ ବର୍ଷର ବିଜେଡି ସରକାର ଶାସନ କରୁଛି । କିନ୍ତୁ ବିଜୁ ଜନତା ଦଳ ଶାସନରେ ରହି ରାଜ୍ୟରେ ସଫଳତା ଆଣିବାରେ ବିଫଳ ସାବ୍ୟସ୍ତ ହେବା ସହ କେନ୍ଦ୍ରର ଯୋଜନାକୁ ନିଜ ଯୋଜନା ବୋଲି ଡିଣ୍ଡିମ ପିଟୁଛି । ୮ ବର୍ଷର ମୋଦି ସରକାରରେ ମୋଦିଜୀ ପ୍ରତ୍ୟେକ ଘରେ ପାନୀୟ ଜଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଜନସାଧାରଣଙ୍କୁ ସ୍ୱଚ୍ଛଳ କରାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସଭାପତି ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଳି, ଧୁଷୁରୀ, ପଧାନୀ, ଧାମନଗର ଏନଏସି, ଚୂଡାକୁଟି, ବୋଡକ ଓ ଗୁଆମାଳରେ ବୁଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଯେପରି ବିଜୟୀ ହେବ ଓ କେନ୍ଦ୍ରର ଯୋଜନା ସାଧାରଣ ଲୋକେ ପାଇ ସ୍ୱଚ୍ଛଳ ହେବେ, ଏହାର ସ୍ଥିତି ମଧ୍ୟ ପରଖିଛନ୍ତି ଶ୍ରୀ ମହାନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ତଥା ଜିଲା ପ୍ରଭାରୀ କାଳନ୍ଦୀ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।
ଧାମନଗର ଉପନିର୍ବାଚନ ବିଜୟ ହେବ ବିଷ୍ଣୁ ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି – ସମୀର ମହାନ୍ତି
You Might Also Like
- Advertisement -

Comment