ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଐତହାସିକ ବିଜୟ

Odisha Hot News
4 Min Read

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ନିକଟତମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ। ଏହାପରେ ସେ ପ୍ରଥମ ଓଡ଼ିଆ ଓ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।
ମୋଟ ୪ଟି ରାଉଣ୍ଡର ମଧ୍ୟରୁ ଏଯାଏ ୩ଟି ରାଉଣ୍ଡର ଭୋଟ ଗଣତି ସରିଛି। ଗୋଟିଏ ରାଉଣ୍ଡ ଅର୍ଥାତ ୧୦ଟି ରାଜ୍ୟର ଭୋଟ ଗଣତି ବାକିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟର ମୂଲ୍ୟ ୫୦% ଅତିକ୍ରମ କରି ଯାଇଛି। ତେଣୁ ସେ ଗୋଟିଏ ରାଉଣ୍ତ ପୂର୍ବରୁ ହିଁ ନିର୍ବାଚନ ଜିତି ସାରିଛନ୍ତି। ଏବେ କେବଳ ଔପଚାରିକତା ବାକି ରହିଛି। ପୂର୍ବରୁ ଦୁଇ ରାଉଣ୍ଡ ଗଣତି ସୁଦ୍ଧା ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୪,୮୩,୨୯୯ ରହିଥିଲା। ତୃତୀୟ ରାଉଣ୍ଡରେ ଆଉ ୧୦ ରାଜ୍ୟର ବିଧାୟକଙ୍କ ଭୋଟ ଗଣତି କରାଯାଇଥିଲା। ଏହି ରାଉଣ୍ଡରେ କର୍ଣ୍ଣାଟକା, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ଓଡ଼ିଶା ଓ ପଞ୍ଜାବର ବିଧାୟକଙ୍କ ଭୋଟ ଗଣତି କରାଯାଇଥିଲା। ତୃତୀୟ ରାଉଣ୍ଡର ମୋଟ ୧୩୩୩ ବୈଧ ଭୋଟ ଥିବା ବେଳେ ଏହାର ମୂଲ୍ୟ ୧,୬୫,୬୬୪। ଏହା ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୮୧୨ ଖଣ୍ଡ ଓ ଯଶୱନ୍ତ ସିହ୍ନା ୫୨୧ ଖଣ୍ଡ ଭୋଟ ପାଇଥିଲେ।
ଏହାକୁ ମିଶାଇଲେ ତୃତୀୟ ରାଉଣ୍ଡ ସୁଦ୍ଧା ମୋଟ ବୈଧ ଭୋଟ ହେଉଛି ୩୨୧୯ ଓ ଏହାର ମୂଲ୍ୟ ୮,୩୮,୮୩୯। ଏହା ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨୧୬୧ ଖଣ୍ଡ ଭୋଟ ଓ ଯଶୱନ୍ତ ସିହ୍ନା ୧୦୫୯ ଖଣ୍ଡ ଭୋଟ ପାଇଛନ୍ତି। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫,୭୭,୭୭୭ ଓ ଶ୍ରୀ ସିହ୍ନାଙ୍କ ଭୋଟ ମୂଲ୍ୟ ୨,୬୧,୦୬୨। ଭୋଟ ମୂଲ୍ୟ ୫୦% ଅତିକ୍ରମ କରି ଯାଇଥିବାରୁ ଦ୍ରୌପଦୀ ମୁର୍ମୁ ଗୋଟିଏ ରାଉଣ୍ଡ ଗଣତି ପୂର୍ବରୁ ହିଁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ଆଉ ଗୋଟିଏ ରାଉଣ୍ଡ ପରେ ଶ୍ରୀମତୀ ମୁର୍ମୁ ମୋଟ ଉପରେ କେତେ ଭୋଟ ପାଇଛନ୍ତି, ତାହା ସ୍ପଷ୍ଟ ହେବ।
ପ୍ରଥମ ରାଉଣ୍ଡରେ ସାଂସଦଙ୍କ ଭୋଟ ଗଣତି କରାଯାଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବର୍ଣ୍ଣାନୁକ୍ରମରେ ପ୍ରଥମ ୧୦ ରାଜ୍ୟର ବିଧାୟକମାନଙ୍କ ଭୋଟ ଗଣତି କରାଯାଇଥିଲା। ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ଦ୍ରୌପଦୀ ମୁର୍ମୁ ବାଜି ମାରିଥିଲେ। ଦ୍ୱିତୀୟ ରାଉଣ୍ଡରେ ୧୦ଟି ରାଜ୍ୟର ମୋଟ ବୈଧ ଭୋଟ ସଂଖ୍ୟା ଥିଲା ୧୧୩୮ ଓ ଭୋଟ ମୂଲ୍ୟ ହେଉଛି ୧,୪୯,୫୭୫। ଏହି ୧୧୩୮ ଖଣ୍ଡ ଭୋଟ ମଧ୍ୟରୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ୮୦୯ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ଭୋଟ ମୂଲ୍ୟ ୧,୦୫,୨୯୯। ସେହିପରି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା ୩୨୯ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ଭୋଟର ମୂଲ୍ୟ ୪୪, ୨୭୬ ରହିଥିଲା।
ଦିନ ୧୧ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିପରି ଦିନ ୧.୩୦ରେ ସଂସଦରେ ଭୋଟ ଗଣତି ଆରମ୍ଭ ହେବା ସହ ଅପରାହ୍ନ ୩ଟା ବେଳକୁ ପ୍ରଥମ ରାଉଣ୍ଡର ରେଜଲ୍ଟ ସାମ୍ନାକୁ ଆସିଥିଲା। ଏହି ରାଉଣ୍ଡରେ ସାଂସଦମାନଙ୍କ ଭୋଟ ଗଣତି କରାଯାଇଥିଲା। ବୈଧ ଥିବା ୭୪୮ ଖଣ୍ଡ ଭୋଟରୁ ମୁର୍ମୁଙ୍କ ସପକ୍ଷରେ ୫୪୦ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଶ୍ରୀ ସିହ୍ନାଙ୍କୁ ମିଳିଥିଲା ୨୦୮ ଜଣ ସାଂସଦଙ୍କ ସମର୍ଥନ। ୧୫ ଜଣ ସାଂସଦଙ୍କ ଭୋଟ ନାକଚ ହୋଇଛି। ଅର୍ଥାତ ଏମାନେ ଠିକ୍‌ ଭାବେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାରେ ଅକ୍ଷମ ହୋଇଛନ୍ତି। ସେହିପରି ୧୭ ଜଣ ବିରୋଧୀ ସାଂସଦ କ୍ରସ ଭୋଟିଂ କରିଛନ୍ତି।
ପ୍ରଥମ ରାଉଣ୍ଡ ରେଜଲ୍ଟ ସାମ୍ନାକୁ ଆସିବା ପରେ ହିଁ ସାରା ଦେଶରେ ଆରମ୍ଭ ହୋଇଥିଲା ଉତ୍ସବ। ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ସ୍ଥାନ ରାଇରଙ୍ଗପୁର ଘର ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ବିଜେପି ସମର୍ଥକମାନେ ସେଲିବ୍ରେସନ ଆରମ୍ଭ କରିଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ର ସହ ପରସ୍ପରକୁ ମିଠା ଖୁଆଇ ସେମାନେ ମୁର୍ମୁଙ୍କ ପାଇଁ ଉତ୍ସବ ପାଳନ କରିଥିଲେ। ବିଜୟ ଉତ୍ସବ ପାଳନ କରାଯାଉଥିଲେ ହେଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ନଥିଲା। ତଥାପି ମୁର୍ମୁ ଜିତିବା ଆଶାରେ ସମସ୍ତେ ଉତ୍ସବ ପାଳନ କରିଥିଲେ। ଫାଇନାଲ ରେଜଲ୍ଟ ବାହାରିବା ପରେ ଦ୍ରୌପଦୀଙ୍କ ସମର୍ଥକମାନେ ନିଜର ବିଜୟ ଉତ୍ସବକୁ ଆହୁରି ଜୋରଦାର କରିଛନ୍ତି। ଦ୍ରୌପଦୀଙ୍କ ପାଇଁ ରାଇରଙ୍ଗପୁରରେ ୨୦ ହଜାରରୁ ଅଧିକ ମିଠା ବଣ୍ଟା ଯାଇଛି। ସେହିପରି ତାଙ୍କ ଘର ଆଗରେ ମଧ୍ୟ ଶହଶହ ଲୋକ ଏକାଠି ହୋଇ ଖୁସିରେ ନାଚୁଥିବା ବେଳେର ଦୃଶ୍ୟ ସାମ୍ନାକୁ ଆସିଛି। କେବଳ ରାଇରଙ୍ଗପୁରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦ୍ରୌପଦୀଙ୍କ ବିଜୟ ପାଇଁ ଉତ୍ସବ ପାଳନ କରାଯାଇଛି। ସେ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ପଦ ଅଳକୃତ କରିଥିବାରୁ ତାଙ୍କ ପାଇଁ ପୂରା ରାଜ୍ୟ ଆଜି ଗର୍ବରେ ‍ଫାଟି ପଡ଼ିଛି।

Share This Article