୧୦୪ ହେକ୍ଟର ଧାନଚାଷ ପ୍ରଭାବିତ – Fast News Network

Odisha Hot News
1 Min Read

ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚଳିତ ବନ୍ୟାରେ ୧୦୪ ହେକ୍ଟର ଖରିଫ ଧାନଚାଷ ପ୍ରଭାବିତ ହୋଇଛି ବୋଲି ବ୍ଲକ କୃଷି ବିଭାଗ ରିପୋର୍ଟ ପ୍ରସ୍ତୁତ କରିଛି । ଷୋଳମପୁର, ମାଳଦା, ରହଣିଆ, କୁରିଗାଁ, ବାଲିପୋଖରୀ, ସରସଦା ଆଦି ପଞ୍ଚାୟତର ୨୫ଟି ରାଜସ୍ୱ ଗ୍ରାମରେ ବର୍ଷା ଯୋଗୁଁ ଋଆ ଧାନ ଓ ଧାନତଳି ପ୍ରଭାବିତ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରାଯାଇଛି । ବନ୍ୟାପ୍ରବଣ ନପଙ୍ଗ ପଞ୍ଚାୟତକୁ ପ୍ରଭାବିତ ରିପୋର୍ଟରୁ ବାଦ ଦିଆଯାଇଥିବାରୁ ରିପୋର୍ଟର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ନଦୀପଠାରେ ଅବସ୍ଥିତ ବନ୍ୟାପ୍ଳାବିତ ପଞ୍ଚାୟତ ଭାବେ ଜଣାଶୁଣା ଝୁଟୁଣା ଓ ବନ୍ଦାଳୋ-ମଢିଆଳି ପଞ୍ଚାୟତ ଦ୍ୱୟର ଧାନଚାଷ କ୍ଷୟକ୍ଷତି ରିପୋର୍ଟକୁ ଅଣଦେଖା କରାଯାଇଛି । ଏବେ ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗର ୨ ଅଧିକାରୀ ନଥିବାରୁ ଧାମନଗର କୃଷି ବିଭାଗ ଅଧିକାରୀମାନେ ଅତିରିକ୍ତ ଭାବେ ଭଣ୍ଡାରିପୋଖରୀ ଦାଇତ୍ୱ ତୁଲାଉଛନ୍ତି । ଏହାଦ୍ୱାରା କୃଷି ବିଭାଗ ଉପଯୁକ୍ତ ଭାବେ କାର୍ଯ୍ୟ କରିପାରୁ ନଥିବାରୁ ରିପୋର୍ଟ ପ୍ରସ୍ତୁତି ତୃଟିପୂର୍ଣ୍ଣ ହୋଇଛି ବୋଳି ମତପ୍ରକାଶ ପାିଛି । ଅନ୍ୟପକ୍ଷରେ ନଈ କୂଳିଆ ପଞ୍ଚାୟତ ଷୋଳମପୁର, ମାଳଦା, ବାଲିପୋଖରୀ, ବନ୍ଦାଳୋ-ମଢିଆଳି, ଝୁଟୁଣା ଆଦି ପଞ୍ଚାୟତରେ ବ୍ୟାପକ ଭାବେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ଜଣାଯାଇଛି । ବ୍ଲକ ଉଦ୍ୟାନକୃଷି ବିଭାଗ ରାଜନୈତିକ ଛତ୍ରଛାୟା ତଳେ ପରିଚାଳିତ ହେଉଥିବାରୁ ପନିପରିବା ଚାଷ କ୍ଷୟକ୍ଷତି ରିପୋର୍ଟ ମିଳିପାରୁ ନାହିଁ । ଚାଷୀମାନଙ୍କ ସହ ସମ୍ପର୍କ ନଥିବା ଉଦ୍ୟାନକୃଷି ବିଭାଗ ସ୍ଥାଣୁ ପାଲଟିଛି । ଫଳରେ ବାସ୍ତବ ପନିପରିବା ଚାଷୀମାନେ ଉଦ୍ୟାନକୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାରୁ ବାଦ ପଡୁଥବା ଅଭିଯୋଗର ଫର୍ଦ୍ଦ କ୍ରମେ ଲମ୍ବିବାରେ ଲାଗିଛି ।

Share This Article