ସମୁଦ୍ର ମଝିରୁ ଏୟାରଲିପ୍ଟ ହେଲେ ୧୧ ମତ୍ସ୍ୟଜୀବୀ – Fast News Network

Odisha Hot News
1 Min Read

ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଯାଇଥିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା। ଆଉ ଏହି ସମୟରେ ଜୀବିକା ପାଇଁ ସମୁଦ୍ର ଗର୍ଭକୁ ଯାଇଥିବା ଧୀବରଙ୍କ ଜୀବନ ବଞ୍ଚାଇଛି ତଟରକ୍ଷୀ ବାହିନୀ। ତଟରକ୍ଷୀ ବାହିନୀ ପକ୍ଷରୁ ହେଲିକପ୍ଟର ମାଧ୍ୟମରେ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି। ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲ୍ଲା ଚିକିଟିର ଲୋକ ହୋଇଥିବାବେଳେ ସେମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଆଉ ମାଛ ଧରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗଞ୍ଜାମ ଆସୁଥିବାବେଳେ ପତି ସୁନାପୁର ନିକଟରେ ବୋଟରେ ଯାନ୍ତ୍ରିକ ସମସ୍ୟା ଉପୁଜିଥିଲା।
ଯାନ୍ତ୍ରିକ ସମସ୍ୟା ପାଇଁ ବୋଟ ଢେଉ କାଟି ଆସିପାରି ନଥିଲା। ବୋଟ ସମୁଦ୍ରରେ ଫସିବା ପରେ ଧୀବରମାନେ ପରିବାରଲୋକଙ୍କୁ ସୂଚନା ଦେଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ପରିବାରଲୋକ ପ୍ରଶାସନକୁ ଅନୁରୋଧ କରିଥିଲେ। ଆଉ ପ୍ରଶାସନ ପକ୍ଷରୁ ତୁରନ୍ତ ତଟରକ୍ଷୀ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇବା ମାତ୍ରେ ତଟରକ୍ଷୀ ବାହିନୀ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ପ୍ରାୟ ୧ ଘଣ୍ଟା ଅପରେସନ ପରେ ତଟରକ୍ଷୀ ବାହିନୀର ଯବାନମାନେ ସମସ୍ତ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ।
ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ୍ କରି ଜଣାଇଛନ୍ତି ଯେ ସମୁଦ୍ରରେ ଫସିଥିବା ଧୀବରଙ୍କୁ ଉଦ୍ଧାର କରିବା ଲାଗି ତଟରକ୍ଷା ବାହିନୀ ଅପରାହ୍ଣ ୪.୫୫ ମିନିଟରେ ହେଲିକପ୍ଟର ଜରିଆରେ ଅପରେସନ୍ ଆମ୍ଭ କରିଥିଲା। ସଂଧ୍ୟା ୬.୧୫ ସୁଦ୍ଧା ଏହି ଅପରେସନ୍ ଶେଷ ହୋଇ ସମସ୍ତ ୧୧ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିଲେ। ଏସଆରସି ଏଥିଲାଗି ଭାରତୀୟ ତଟରକ୍ଷା ବାହିନୀକୁ ପ୍ରଶଂସା କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Share This Article