ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଏବଂ ମ୍ୟାନେଜମେଣ୍ଟ ଲାଇବ୍ରେରିଜ୍ ନେଟ୍ୱର୍କର ମିଳିତ ଆନୁକୂଲ୍ୟରେ ଗୁରୁବାରଠାରୁ 3 ଦିନିଆ ଅନ୍ତର୍ଜାତୀୟ ମାନ୍ଲିବ୍ନେଟ୍ କନ୍ଭେନ୍ସନ୍ ଉଦ୍ଘାଟିତ ହୋଇଯାଇଛି । ଏହି କନ୍ଭେନ୍ସନର ବିଷୟବସ୍ତୁ ରହିଛି ‘ଭବିଷ୍ୟତର ପାଠାଗାର: ଉଦୀୟମାନ ଧାରା’ (ଲଇବ୍ରେରିଜ୍ ଅଫ୍ ଦି ଫ୍ୟୁଚର: ଇମର୍ଜିଂ ଟ୍ରେଣ୍ଡସ୍) । ଏହି ଅନ୍ତର୍ଜାତୀୟ ସମ୍ମିଳନୀକୁ ନ୍ୟାସ୍ନାଲ୍ ଅସେସ୍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍ସିଲ୍ (ନାକ୍)ର ଅଧ୍ୟକ୍ଷ ପ୍ରଫେସର ଭୂଷଣ ପଟବର୍ଦ୍ଧନ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ଉଦ୍ଘାଟନ କରି କହିଲେ, ପାଠାଗାରଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭବିଷ୍ୟତର ପାଠାଗାର ଗଢ଼ି ତୋଳିବା ଆବଶ୍ୟକ । ଏଥିପାଇଁ ଗ୍ରନ୍ଥାଗାରିକମାନେ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବା ସହ ପାଠଙ୍କ ପାଇଁ ପାଠାଗାରକୁ ଆହୁରି ଆକର୍ଷଣୀୟ କରିବା ଲାଗି ସର୍ଜନାତ୍ମକ ଚିନ୍ତାଧାରା ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ସମସ୍ତଙ୍କ ପାଇଁ ସବୁ କ୍ଷେତ୍ରରେ ଜ୍ଞାନ ଅପରିହାର୍ଯ୍ୟ ।
ଏହି ଜ୍ଞାନ ବିତରଣ ନିମନ୍ତେ ପାଠାଗାର ଓ ଗ୍ରନ୍ଥାଗାରିକଙ୍କ ଗୁରୁତ୍ୱ ରହିଆସିଛି । ବିଭିନ୍ନ ବିଷୟରେ ପାଠକଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବାରେ ଗ୍ରନ୍ଥାଗାରିକମାନେ ସର୍ଜନାତ୍ମକ ପଦ୍ଧତି ଆପଣାଇବା ଆବଶ୍ୟକ ରହିଛି । ବର୍ତ୍ତମାନର ପାଠାଗାରଗୁଡ଼ିକୁ ପାଠକଙ୍କ ନିମନ୍ତେ ଆକର୍ଷିତ କରିବା ଲାଗି ନୂଆ କୌଶଳ ଆପଣାଇବା ସହ ପାଠାଗାରର ପରିବେଶ ଉପରେ ଧ୍ୟାନ ଦେବାକୁ ପଡ଼ିବ । କିଟ୍ ବିଶ୍ୱବିଦ୍ୟାଳୟର ମୁଖ୍ୟ ପାଠାଗାର ଭାରତରେ ସବୁ ଦୃଷ୍ଟିରୁ ସର୍ବୋତ୍କୃଷ୍ଟ ବୋଲି ପ୍ରଫେସର ସସ୍ମିତା ସାମନ୍ତ କହିଥିଲେ । ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ମାଡ୍ରାସ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ବି ରମେଶ ବାବୁ କହିଲେ ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ପଢ଼ିବାର ଅଭ୍ୟାସ କମିକମି ଯାଉଛି । ଆମେମାନେ ପାଠାଗାରକୁ ଅଧିକ ସଂଖ୍ୟକ ପାଠକଙ୍କୁ କିପରି ଆକୃଷ୍ଟ କରିପାରିବା ସେ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି । ଭବିଷ୍ୟତର ପାଠାଗାର କିପରି ହେବା ଆବଶ୍ୟକ ସେଥିପାଇଁ ଗ୍ରନ୍ଥାଗାରିକମାନେ କିଟ୍ ବିଶ୍ୱବିଦ୍ୟାଳୟ ମୁଖ୍ୟ ପାଠାଗାରର ପରିବେଶ ବୁଲି ଦେଖିବା ଉଚିତ ବୋଲି ପ୍ରଫେସର ରମେଶ ବାବୁ କହିଥିଲେ । ମାନ୍ଲିବନେଟ୍ର ସାଧାରଣ ସମ୍ପାଦକ ତଥା ହାଇଦ୍ରାବାଦସ୍ଥିତ ମୌଲାନା ଆଜାଦ୍ ନ୍ୟାସ୍ନାଲ୍ ଊର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରିକ ଡ. ଅଖତାର ପରଭେଜ ପାଠକଙ୍କୁ ଆକୃଷ୍ଟ କରିବା ଲାଗି ପାଠାଗାରର ପରିବେଶରେ ପରିବର୍ତ୍ତନ ଆଣିବା ସହ ଗ୍ରନ୍ଥାଗାରିକମାନେ ସମୟ ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ କିଟ୍ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ନିର୍ଦ୍ଦେଶିକା ଡ. ବିଜୟଲକ୍ଷ୍ମୀ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରିକ ଡ. ଦିଲିପ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ସର୍ଜନଶୀଳ ଗ୍ରନ୍ଥାଗାରିକ ଭାବେ 2020 ବର୍ଷ ପାଇଁ ଡ. ବିଜୟଲକ୍ଷ୍ମୀ ରାଉତରାୟଙ୍କୁ, 2021 ପାଇଁ ଡ. ଅକତାର ହୁସେନ୍ ଏବଂ 2022 ପାଇଁ ଡ. ଧବଳ ବେନ ଭଟ୍ଟଙ୍କୁ ପୁରସ୍କୃତ କରାଯାଇଥିଲା ।
ଭବିଷ୍ୟତ ପାଠାଗାର ବର୍ତ୍ତମାନଠାରୁ ଉନ୍ନତ ହେବ – Fast News Network

Comment