ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ସକ୍ଷମତା ପ୍ରସ୍ତୁତି କର୍ମଶାଳା

Odisha Hot News
2 Min Read

ଭଦ୍ରକ: ସ୍ୱେଚ୍ଛାସେବୀ ଅନୁଷ୍ଠାନ କାରିଟାସ୍ ଇଣ୍ଡିଆର ପୋଷ୍ଠ ପୋଷକତାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦିଗରେ କାର୍ଯ୍ୟକରୁଥିବା ବାଲେଶ୍ୱର ସୋସିଆଲ୍ ସର୍ଭିସ ସୋସାଇଟି ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବ୍ଲକର ବିପର୍ଯ୍ୟୟ ପ୍ରବଣ ଆନ୍ଦୋଳା ଓ ବାଲିମେଦ ଗ୍ରାମପଞ୍ଚାୟତକୁ ମଡ଼େଲ ଜି.ପି. ଭାବେ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିବା ଉକ୍ତ ବି.ଏସ୍‌.ଏସ୍‌.ଏସ୍‌୍‌. ସଂସ୍ଥାର ନିର୍ଦ୍ଦେଶକ ଫାଦର ଲିଜୋ ଜର୍ଜ, ଭୁବନେଶ୍ୱରରୁ ଆସିଥିବା କାରିଟାସ୍ ଇଣ୍ଡିଆର କଳିକା ମହାପାତ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ଆଭିମୁଖ୍ୟ, ବିପର୍ଯ୍ୟୟ ମୁକାବିଲାରେ ବିଭିନ୍ନ ବିଭାଗର ଦାୟିତ୍ୱ, ଜନ ସଚେତନତା ଆଦି ବିଷୟରେ ଆଲୋକ ପାତ କରିଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବି.ଏସ୍‌.ଏସ୍‌.ଏସ୍‌.ର ଜନ୍ ଉଇଲିୟମ୍ ମଞ୍ଚ ସଂଯୋଜନା କରିଥିଲେ । ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ମିଳିତ ଆନୁକୂଲ୍ୟରେ ବିପର୍ଯ୍ୟୟ ମୁକାବିଲା ନେଇ ଜନ ସାଧାରଣଙ୍କୁ କିପରି ଅଧିକରୁ ଅଧିକ ଆତ୍ମ ସମର୍ଥ କରିବା ଦିଗରେ ସଚେତନ କରିହେବ, ସେଥିପାଇଁ ଆଧୁନିକ, ବୈଜ୍ଞାନିକ ଓ ଉପଯୋଗୀ ପାରମ୍ପରିକ ଜ୍ଞାନ କୌଶଳ ସମ୍ବନ୍ଧରେ ସେମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିହେବ ସେ ଦିଗରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ଘଟିବା ସମୟ ଓ ପରବର୍ତ୍ତୀ ସମୟର ମୁକାବିଲା ନେଇ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକ ଓ ସେମାନଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର, ସଚେତନ, ଜୀବନ ଜୀବିକାର ସୁରକ୍ଷା ଆଦି ଲାଗି ଉଦ୍ଧିଷ୍ଟ ଅନୁଷ୍ଠାନ ମାନଙ୍କର କର୍ତ୍ତବ୍ୟ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ବିପର୍ଯ୍ୟୟ ମୁକାବିଲା ଦିଗରେ ନିଜ ନିଜ ବିଭାଗୀୟ କାର୍ଯ୍ୟପନ୍ଥା ଓ ଯୋଜନା ସମ୍ବନ୍ଧରେ ଉପସ୍ଥାପନା ରଖିଥିଲେ । ଉସଡ଼ମା ର ଜିଲ୍ଲା ସଂଯୋଜକ ଅମ୍ଳାନ ଅନୁପମ ସେନାପତି ବିପର୍ଯ୍ୟୟ ମୁକାବିଲାରେ ଜନପ୍ରତିନିଧି ମାନଙ୍କର ଭୂମିକା ସମ୍ବନ୍ଧରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ ପଞ୍ଚାୟତ ମାନଙ୍କର ଭୂମିକା, ସହକାରୀ ନିର୍ଦ୍ଦେଶକ କୃଷି, ଶ୍ରୀଧର ଦାସ ବିପର୍ଯ୍ୟୟ ସହଣି ବିଭିନ୍ନ କୃଷି ପଦ୍ଧତି, ନୂତନ କିସମ ବିହନ, ମିଶ୍ରିତ ଏବଂ ସମନ୍ୱିତ ଚାଷ, ପାରମ୍ପରିକ ଜୈବଖତ ସାର ଓ ନିମ୍ବ ଜାତୀୟ ପୋକମରା ଔଷଧ, ଯନ୍ତା, ଆଦିର ବ୍ୟବହାର ସମ୍ବନ୍ଧରେ ଖୁବ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଏହି ଅଭିଯାନ ର ସଫଳତା ନେଇ ଦଳଗତ ଆଲୋଚନା ଆଗତ ବିଭିନ୍ନ ପ୍ରସ୍ତାବ ସମ୍ବନ୍ଧରେ ସମୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା ।

Share This Article