ଭଦ୍ରକ: କଟକସ୍ଥିତ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ (ଏମ୍ଏଲ୍ୟୁ) ଅଧୀନରେ ଥିବା ଭଦ୍ରକ ଆଇନ୍ ମହାବିଦ୍ୟାଳୟର ୩ ବର୍ଷିଆ ଏଲଏଲ୍ବି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାର ସେଣ୍ଟର ଚୟନରେ ଘୋର ଅନିୟମିତତା ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏପରିକି ଏହି ମହାବିଦ୍ୟାଳୟର ଏମ୍ଏଲ୍ବି ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଷ୍ଟେଟ୍ କଂଜ୍ୟୁମର ଡିସ୍ପ୍ୟୁଟ ରିଡ୍ରେସାଲ କମିଶନ (ଏସ୍ସିଡିଆରସି) ଙ୍କ ଦ୍ୱାରସ୍ଥ ହେବା ପରେ ମାନ୍ୟବର ଅଦାଲତ ଭଦ୍ରକ ଆଇନ୍ ମହାବିଦ୍ୟାଳୟରେ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଗାଇଡ୍ ଲାଇନ୍ ଅନୁସାରେ ଏକ ସପ୍ତାହ ପୂର୍ବରୁ ସେଣ୍ଟର ସୂଚନା ଦେବାକଥା । ମାତ୍ର ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରି ପରୀକ୍ଷାର ମାତ୍ର ୨ ଦିନ ପୂର୍ବରୁ ୫ ବର୍ଷ ଧରି ପ୍ରତିଷ୍ଠା ହୋଇଥିବା ଏକ କଲେଜରେ ସେଣ୍ଟର ଚୟନ କରିଥିଲା । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଆଜିପର୍ଯ୍ୟନ୍ତ କୌଣସି ଆଇନ୍ ମହାବିଦ୍ୟାଳୟର ପରୀକ୍ଷା ଅନ୍ୟ ସେଣ୍ଟରରେ କରାଯାଇନଥିଲା ।
ଏକ ୫ ବର୍ଷିୟା କଲେଜରେ ବିଶେଷକରି ଜିଲାର ଏହି ବହୁ ପୁରାତନ ୩୦ ବର୍ଷରୁ ଉର୍ଦ୍ଧ୍ୱ ଧରି ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟରେ ଚଳିତ ସେମିଷ୍ଟାର ପରୀକ୍ଷା ନିଜ କଲେଜରେ ନକରାଯାଇ ମାତ୍ର ୫ ବର୍ଷ ଧରି ପ୍ରତିଷ୍ଠା ହୋଇଥିବା କଲେଜରେ କରାଯାଇଥିବାରୁ ଏହାକୁ ବିରୋଧ କରି ସେମାନେ ଏହି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ତେବେ ଏହି ସେଣ୍ଟର ଚୟନରେ ଭିସିଙ୍କ ପ୍ରିୟାପ୍ରୀତି ଓ ମନମୁଖୀ କାର୍ଯ୍ୟ କଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଛି । କାହିଁକି ନା ୧୯୯୨ ମସିହାରେ ଭଦ୍ରକ ଲ’ କଲେଜ ପ୍ରତିଷ୍ଠା ହୋଇ ସେହିବର୍ଷରୁ ୧୯୯୮-୯୯ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥାଇ ନିଜସ୍ୱ ମହାବିଦ୍ୟାଳୟରେ ପରୀକ୍ଷା ପରିଚାଳନା ହୋଇ ଆସୁଥିଲା । ସେହିଭଳି ୨୦୦୦-୦୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥାଇ ମଧ୍ୟ ନିଜସ୍ୱ ମହାବିଦ୍ୟାଳୟରେ ପରୀକ୍ଷା ହୋଇ ଆସୁଥିଲା । ମାତ୍ର ୨୦୨୧-୨୨ ରେ ଏହି କଲେଜ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଅଧୀନକୁ ଯିବା ପରେ ଭିସି କେଉଁ ଆଧାରରେ ଚଳିତ ପରୀକ୍ଷାକୁ ସମସ୍ତ ପାରିପାଶ୍ୱିର୍କ ସୁବିଧା ସୁଯୋଗ ଥିଲେ ମଧ୍ୟ ସେଠାରେ ନକରାଇ ଏହାର ସେଣ୍ଟରକୁ ରାସ୍ତାଘାଟର ସୁବିଧା, ଅଭିଭାବକଙ୍କ ପ୍ରତୀକ୍ଷାଳୟ, ଶୌଚାଳୟର କୌଣସି ସୁବିଧା ସୁଯୋଗ ନଥିବା ଏକ ଗ୍ରାମ ମଧ୍ୟରେ ଥିବା ମାତ୍ର ୫ ବର୍ଷର କଲେଜରେ କରାଇବା କେତେଦୂର ସମୀଚିନ, ତାହା ତାଙ୍କର ସନ୍ଦେହପୂର୍ଣ୍ଣ କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।
କାହିଁକିନା ଭଦ୍ରକ ଲ’ କଲେଜଟି ଏକ ଶାନ୍ତ ଓ ସମସ୍ତ ସୁବିଧା ସୁଯୋଗ ଥିବା ସ୍ଥାନରେ ପ୍ରତିଷ୍ଠା ହୋଇ ଦୀର୍ଘ ୩୦ ବର୍ଷ ଧରି ଜିଲା ଓ ଜିଲା ବାହାରର ବହୁ ଛାତ୍ରଛାତ୍ରୀଙ୍କୁ ଆଇନ୍ ପାଠ୍ୟକ୍ରମ ପଢାଇବାର ସୁନାମ ଅର୍ଜନ କରିଆସୁଥିବାବେଳେ ଏକ ଅସ୍ଥାୟୀ ଭାବେ ବିସିଆଇ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କଲେଜ (ଯେଉଁଠାରେ ବିସିଏ, ଏମ୍ବିଏ, ଏମ୍ସିଏ, ବିବିଏ ସହିତ ୫ ବର୍ଷ ଓ ୩ ବର୍ଷିଆ ଲ’ ଓ ୨ ବର୍ଷିଆ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ) ରେ ରହିଛି, ସେଠାରେ ତାହାର ସେଣ୍ଟର କରାଯାଇଛି । ଏହି କଲେଜଟି ଏକ ଗ୍ରାମ୍ୟ ମଧ୍ୟସ୍ଥ ଅଣଓସାରିଆ ରାସ୍ତା ପାଶ୍ୱର୍ରେ ଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଯାନବାହନ ରଖିବା ଓ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏପରିକି ଛାତ୍ରଛାତ୍ରୀଙ୍କ ସହ ଆସୁଥିବା ଅଭିଭାବକମାନଙ୍କ ପାଇଁ ଚଳିତ ଗ୍ରୀଷ୍ମ ପ୍ରବାହରେ କୌଣସି ବ୍ୟବସ୍ଥା ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାପାଶ୍ୱର୍ ଡ୍ରେନ୍ ଉପରେ ବସିଥିବାର ଦେଖାଯାଇଛି । ପ୍ରଚଣ୍ଡ ଖରାରେ ସେମାନେ ପାଣି ଟୋପେ ନପାଇ ଡହଳ ବିକଳ ହେଉଥିବାବେଳେ ଏଭଳି ସ୍ଥାନକୁ କେଉଁ ପରିସ୍ଥିତି ଓ ଆଧାରରେ ଚୟନ କରାଯାଇଛି, ତାହାର ଏକ ବିଧିବଦ୍ଧ ତଦନ୍ତ ହେଉ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବି ହୋଇଛି ।
୩୦ ବର୍ଷର କଲେଜକୁ ଅବହେଳା, ୫ ବର୍ଷର କଲେଜକୁ ଅଗ୍ରାଧିକାର

Comment