ବରପଦା ଇଂଜିନିୟରିଂ କଲେଜରେ ପୁଣି କର୍ମଚାରୀ ଆନ୍ଦୋଳନ – Fast News Network

Odisha Hot News
2 Min Read

ଭଦ୍ରକ: ବରପଦା ଇଂଜିନିୟରିଂ କଲେଜରେ ପରିଚାଳନାଗତ ତ୍ରୁଟିକୁ ନେଇ ପୁଣି କର୍ମଚାରୀ ଆନ୍ଦୋଳନ ଦେଖାଦେଇଛି । ଆଜି କଲେଜର କର୍ମଚାରୀମାନେ ଆନ୍ଦେଳନରେ କଲେଜ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ୱ ଧରି ବରପଦା ଇଂଜିନିୟରି କଲେଜରେ କର୍ମଚାରୀ ଅସନ୍ତୋଷ ଲାଗି ରହିଛି । କର୍ମଚାରୀମାନେ ନିୟମିତ ଦରମା ଏବଂ ଅନ୍ୟାନ୍ୟ ବୃତ୍ତିଗତ ସୁବିଧା ସୁଯୋଗ ପାଉ ନଥିବା ମୁଖ୍ୟ ଅଭିଯୋଗକୁ ନେଇ ଏହି ଅସନ୍ତୋଷ ଲାଗି ରହିଛି । ଏ ନେଇ ପ୍ରଥମ ଆନ୍ଦୋଳନ ୨୦୧୫ରେ ମୁଣ୍ଡ ଟେକିଥିଲା । ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଳାପାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନ ସୁରୁଖୁରୁରେ ଚାଲି ଆସୁଥିଲା । ମାତ୍ର ସରକାରଙ୍କ ଏସ୍‌ଡିଟିଇ ବିଭାଗ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ପୂର୍ବ ପରିଚାଳନା ସମିତିକୁ ପରିଚାଳନା ଭାର ପ୍ରଦାନ କରିବାକୁ ଅନୁରୋଧ କରିବା ପରେ ହାଇକୋର୍ଟ କଲେଜର ପରିଚାଳନା ଭାର ପୂର୍ବ ପରିଚାଳନା କମିଟିକୁ ପ୍ରଦାନର ନିର୍ଦ୍ଦେଶ ଦେବା ସହିତ କର୍ମଚାରୀଙ୍କୁ ମାସକୁ ମାସ ନିୟମିତ ଭାବେ ମାସର ୭ ତାରିଖରେ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଥି ସହିତ ଅଡିଡ଼ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା, କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରିଚାଳନା ସମିତିର ଅଧ୍ୟକ୍ଷ ପ୍ରୟାସକାନ୍ତି ସାମଲ ୨୦୧୯ ମାର୍ଚ୍ଚ ମାସଠାରୁ କଲେଜର ପରିଚାଳନା ଭାର ନେବାପରେ କଲେଜର ଅଧ୍ୟକ୍ଷ ମୋହନ ଚରଣ ପଣ୍ଡାଙ୍କ ମିଳିତ ସହଯୋଗରେ କମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଞ୍ଚିତ କରିଆସୁଛନ୍ତି । ଏ ସଂକ୍ରାନ୍ତରେ କର୍ମଚାରୀମାନେ ବାରମ୍ବାର କଲେଜର ଅଧ୍ୟକ୍ଷ, ପରିଚାଳନା ସମିତି ଅଧ୍ୟକ୍ଷ, ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ କର୍ମଚାରୀଙ୍କୁ ଦୁଃଖକୁ କେହି କର୍ଣ୍ଣପାତ କରି ନଥିଲେ । ଯାହା ଫଳରେ ଆଜି କର୍ମାରୀମାନେ ବାଧ୍ୟ ହୋଇ କଳେଜ ପରିସରରେ ଧାରଣାରେ ବସି ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ବରିଷ୍ଠ ଅଧିବକ୍ତା ନିରାକାର ଜେନା, କର୍ମଚାରୀ ସଂଘ ପକ୍ଷରୁ ପ୍ରବୀର ମହାନ୍ତି, ବୀରେନ୍ଦ୍ର ବାରିକ, ପ୍ରଫୁଲ୍ଲ ଜେନା, ବିଜୟ ରାଉତ, ରଶ୍ମି ପଣ୍ଡା, ରଘୁନାଥ ନାୟକ, ନିତ୍ୟାନନ୍ଦ ଜେନା ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ କର୍ମଚାରୀଙ୍କୁ ପ୍ରତିମାସ ୭ ତାରିଖରେ ନିୟମିତ ଦରମା ପ୍ରଦାନ, ବାକିଥିବା ୧୭ ମାସର ଦରମା ପ୍ରଦାନ, ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ଅନୁଷ୍ଠାନର ଆୟବ୍ୟୟର ସରକାରୀ ଅଡିଟ, ଜିଲ୍ଲାପାଳଙ୍କ ପରିଚାଳନା ସମୟରେ ହେଉଥିବା କ୍ୟାଶ୍‌ଲେସ୍ ଟ୍ରାନ୍‌ଜେକ୍ସନର ପୁନଃ ପ୍ରଚଳନ କରିବା, ଅଧ୍ୟକ୍ଷଙ୍କ ଦ୍ୱାରା କର୍ମଚାରୀଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇବା ବନ୍ଦ କରିବା, ଏଲ୍‌ଆଇସି, ଇପିଏଫ୍‌, ଇଏସ୍‌ଆଇ, ବ୍ୟାଙ୍କ ଲୋନର କିସ୍ତି ନିର୍ଦ୍ଧାରିତ ସମୟରେ ଦାଖଲ କରିବା, ମେଡ଼ିକାଲ ଛୁଟି ମଞ୍ଜୁର କରିବା ଭଳି ଦାବି ଏହି ଆନ୍ଦୋଳନରେ ଉପସ୍ଥାପନ କରାଯାଇଥିଲା । କର୍ମଚାରୀଙ୍କ ଏହି ଆନ୍ଦୋଳନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଆନ୍ଦୋଳନ ସମୟରେ କୁହାଯାଇଛି ।

Share This Article