ବଡ଼ ଭାଇର ପରିବାରକୁ ସଫା କରି ଦେଲା ସାନ:୫ ଜଣଙ୍କୁ ହତ୍ୟା – Fast News Network

Odisha Hot News
3 Min Read

ସାଲେପୁର: ଭାଇର ବଂଶ ନିପାତ କରି ଦେଲା ଭାଇ। ବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମାରି ଦେଲା ସାନ ଭାଇ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ। ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି। ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତି ସନ୍ଧ୍ୟା । ଝିଅକୁ ୧୯ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ। ଅଭିଯୁକ୍ତର ନାଁ ଶିବ ସାହୁ।
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲା। ଆଉ ଏହି ଭିଡିଓରେ ସେ ଯାହା କହିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କଳହ ଯୋଗୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଶିବ ସାହୁ କହିଛି, ଭାଇ ଓ ମୋ ମଧ୍ୟରେ ତିକ୍ତତା ଥିଲା। ସେ ଓ ତା’ ପରିବାର ମୋତେ ସବୁବେଳେ ହଇରାଣ କରୁଥିଲେ। ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ମୋତେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏହା ପରେ ମୁଁ ମାନସିକ ଭାରସାମ୍ୟ ହରାଇ ବସିଲି ଓ ସେମାନଙ୍କୁ ମାରିଦେଲି। ଆଇନ ଯାହା ଦଣ୍ଡ ଦେବ, ତାକୁ ଗ୍ରହଣ କରିବି। ଏହି ଭିଡିଓରେ ସେ ଆହୁରି କହିଛି ଯେ ତାର ସାଧନ ନଥିବାରୁ ସେ ମାହାଙ୍ଗା ନଯାଇ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିବ। ସୂଚନାଯୋଗ୍ୟ, କୁସୁପୁର ଠାରୁ ବାଲିଚନ୍ଦ୍ରପୁର ଥାନା ପାଖ।
ମିଳିଥିବା ସୂଚନା ଅନୁଯାୟୀ, ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ। ସେହିପରି ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା। ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝଗଡ଼ା ଲାଗି ରହିଥିଲା। ତେବେ ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା। ଯାହା ସୂଚନା ମିଳିଛି, ରାତି ପ୍ରାୟ ଅଢ଼େଇଟା ବେଳେ ଶିବ ସମସ୍ତଙ୍କୁ ମାରିଛି। କଟୁରୀରେ ଅଭିଯୁକ୍ତ ସେମାନଙ୍କୁ ହାଣି ଦେଇଛି। ବଡ଼ ଭାଇ ଓ ତାଙ୍କ ପରିବାର ଲୋକଙ୍କୁ ମାରି ସେ ତାଲା ପକାଇ ଦେଇଥିଲା। ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲା। ଲୋକେ ବି ତାକୁ ଦେଖିଛନ୍ତି। ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଥାନାରେ ଆତ୍ମସମର୍ପଣ କରିଥିଲା। ଦୁଇ ଭାଇ ଗୋଟିଏ ଘରେ ରହୁଥିବା ବେଳେ ଶିବର ପତ୍ନୀ ଘରେ ନଥିଲେ।
ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃତଦେହ ଗୁଡ଼ିକୁ ଜବତ କରିଥିଲେ। କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗୋଳ କିଶୋର କହିଛନ୍ତି, ପ୍ରାଥମିକ ତଦନ୍ତ ଅନୁସାରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀକୁ ଜବତ କରାଯାଇଛି। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତରୁ ଜଣାପଡ଼ିବ।
କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି, ଅଭିଯୁକ୍ତ ଅନ୍ୟ ଏକ ଜିଲ୍ଲା ପୁଲିସ ହେପାଜତରେ ଅଛି। ସେଠାକୁ ଯାଇ ଆମ ଟିମ୍ ପଚରାଉଚରା କରିବ। ନିଶା ଦେବା ପରେ ଅଚେତ କରି ହତ୍ୟା କରାଯାଇଥିବା କଥାକୁ ଆମେ ଏଡ଼ାଇ ଯାଇନୁ। ସେହିପରି ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତିକୁ ମଧ୍ୟ ଆମେ ଏଡ଼ାଇ ଯାଇନୁ। ପୋଷ୍ଟମର୍ଟମ ରିପୋର୍ଟ ଅନେକ ଗୁରୁତ୍ୱ ବହନ କରୁଛି।

Share This Article