ଭଦ୍ରକ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦ୍ୱାରା ଆଜି ଓଲଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ଫିତାକାଟି ଏହି ଶିବିରକୁ ଉଦ୍ଘାଟନ କରିବା ସହିତ ଭିନ୍ନକ୍ଷମମାନଙ୍କ ପ୍ରତି ଅଭିଭାବକ, ସାମାଜିକ, ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ସହଯୋଗ ରହିଲେ ସେମାନେ ନିଶ୍ଚିତ ସକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ ।
ଗୋଷ୍ଠୀ ଉନ୍ନୟନ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ସଭାରେ କାର୍ଯ୍ୟକ୍ରମର ଆୟୋଜକ ତଥା ସଂଯୋଜକ ଭାବେ ଓଲଙ୍ଗ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ୨୫ନଂ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଜେନା, ପଞ୍ଚାୟତ ସମିତି ସଭ୍ୟା ଗୌରୀ ରାଉତ, ତହସିଲଦାର ମଧୁସୂଦନ ଦାସ, ଭିନ୍ନକ୍ଷମ ମଞ୍ଚର ଜିଲ୍ଲା ସଭାପତି ଭାସ୍କର ଚନ୍ଦ୍ର ଜେନା ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଦିବ୍ୟାଙ୍ଗମାନଙ୍କ ନାମ ପଞ୍ଜିକରଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨ଟି ବିଭାଗ ପାଇଁ କାଉଣ୍ଟର ଖୋଳାଯାଇଥିଲା ବେଳେ ପଞ୍ଚାୟତକୁ ଲାଗିଥିବା ଓଲଙ୍ଗ ହାଇସ୍କୁଲ ପରିସରରେ ୫ଟି ବିଭାଗ ପାଇଁ କାଉଣ୍ଟର ଖୋଲା ଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗୋ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପଞ୍ଜିକରଣ ଓ ଡ଼ାକ୍ତରମାନଙ୍କ ଦ୍ୱାରା ପରୀକ୍ଷଣ ଆଦି କାର୍ଯ୍ୟ ପରିଚାଳନା କରାଯାଇଛି ।
ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମଧ୍ୟ ଏହି ଶିବିରକୁ ପରିଦର୍ଶକ କରିଥିଲେ । ସକାଳ ୮ ଘଟିକାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲାଥିବା ଏହି ଶିବରରେ ସମୁଦାୟ ୩୪୪ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକୃତ ହୋଇଥିଲା । ୯ଟି ପଞ୍ଚାୟତକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଗ୍ରାମପଞ୍ଚାୟତ ଗୁଡ଼ିକର ସରପଞ୍ଚ ରାନ୍ଦିଆର ସ୍ୱପ୍ନାରାଣୀ ରାଉତରା, ବାଉଦପୁର ର ଜୋନାକୀ ଚାନ୍ଦ, ଦଇସିଂ ର ସୂଚୀସ୍ମିତା ଜେନା, କାଉପୁର ସୂଚୀସ୍ମିତା ସାହୁ, ଆମ୍ବରୋଳିର କ୍ଷୀରୋଦ କୁମାର ଦାସ, ଗେଲଟୁଆର ବାସନ୍ତୀ ଜେନା, ବାଣିତିଆର ଦାମୋଦର ମହଲା, ବନ୍ଧଗାଁ ର ନିରୋଦ ଚନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରିଥିଲେ । ପଞ୍ଚାୟତ ସମିତି ସଭ୍ୟମାନେ ମଧ୍ୟ ଏଥିରେ ସାମିଲ ଥିଲେ ।
ବିଧାୟକଙ୍କ ଦ୍ୱାରା ଭଦ୍ରକ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବର ଉଦ୍ଘାଟିତ

Comment