ବେଆଇନ ବାଲିଚାଲାଣ ଓ ନଦୀ ସୁରକ୍ଷା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନଦୀ ସୁରକ୍ଷା ସମିତି

Odisha Hot News
1 Min Read

ଭଦ୍ରକ: ସାରା ରାଜ୍ୟରେ ଚାଲୁଥିବା ବେଆଇନ ବାଲି ଚାଲାଣ ଉପରେ ରୋକ୍‌, ବାଲି ମାଫିଆଙ୍କ ଗୁଣ୍ଡାରାଜ ଉପରେ ଅଙ୍କୁଶ ତଥା ରାଜ୍ୟରେ ନଦୀମାନଙ୍କର ସୁରକ୍ଷା ନେଇ ଆଜି ଭାରତୀୟ ଜନତା ପାର୍ଟି ନଦୀ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତିନିଧିମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାଜ୍ୟର ପ୍ରାୟ ସମସ୍ତ ନଦୀରୁ ବେଆଇନ ବାଲି ଖନନ କରାଯାଇ ଚୋରା ଚାଲାଣ କରାଯାଉଛି । ଯାହା ନଦୀ ପ୍ରତି ବିପଦ । ବାଲି ମାଫିଆଙ୍କ ପାଇଁ ରାଜ୍ୟ ସରକାର ବାର୍ଷିକ ୧୪ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଟିକସ ହରାଉଛନ୍ତି । ୨୧୮ରେ ବାଲି ଉଠାଣ ନେଇ ପ୍ରସ୍ତୁତ ନିୟମାବଳୀ ଏବେ ଶୀତଳ ଭଣ୍ଡାରରେ । ବାଲି ଉତ୍ତୋଳନର କୌଣସି ନିୟମର ପାଳନ ହେଉ ନ ଥିବାରୁ ନଦୀ ପାଇଁ ବିପଦ ସାଜୁଛି । ନଦୀର ଗତିପଥରେ ପରିବର୍ତ୍ତନ ହେଉଛି । ଏ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉଦ୍‌ବେଗ ପ୍ରକାଶ କରିବା ସହ ସରକାରଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି । ଓଡ଼ିଶା ସରକାର ଗ୍ରୀନ ଟ୍ରିବ୍ୟୁନାଲଙ୍କ ଆଦେଶକୁ ସଠିକ ଭାବର ପାଳନ କରୁନାହିଁ । ସେହିଭଳି ବେଆଇନ ବାଲି ମାଫିଆଙ୍କ ଦୌରାତ୍ମ୍ୟରେ ସାଧାରଣ ଲୋକଠାରୁ ପରିବେଶବିତ୍‌ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ । ତେଣୁ ସରକାର ତୁରନ୍ତ ବାଲି ଚେରାଚାଲାଣକୁ ରୋକିବା ଦିଗରେ ପଦକ୍ଷେପ ନିଅନ୍ତୁ, ନଚେତ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଜିଲା ସଂଯୋଜକ ଶଙ୍କର୍ଷଣ ଜେନା, ଜିଲ୍ଲା ସହସଂଯୋଜକ ବନମାଳୀ ଜେନା, ବଦ୍ରିନାରାୟଣ ଧଳ, ହରେକୃଷ୍ଣ ସେନାପତି, ବସନ୍ତ ବାରିକ, ବୁଦ୍ଧଦେବ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।

Share This Article