ଠପ୍ ହୋଇପଡ଼ିଛି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ – Fast News Network

Odisha Hot News
2 Min Read

ଭଦ୍ରକ: ସରକାର ଗାଁ ଗହଳିରେ ବସବାସ କରୁଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଜନନାୟକଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକ ଫେଲ ମାରୁଥିବାର ଜଣାପଡିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କପାଟଣା ଠାରେ । ଏଠାରେ ନିର୍ମିତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅବସ୍ଥା କର୍ପୂର ଉଡ଼ି ଯାଇଛି କିନ୍ତୁ କନା ପଡ଼ିଛି ସଦୃଶ । ସୂଚନା ଅନୁଯାୟୀ ; ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭାଗ ତରଫରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହୋଇ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ପ୍ରକଳ୍ପକୁ ୬ ବର୍ଷ ନ ପୁରୁଣୁ ପ୍ରକଳ୍ପଟି ସଂପୂର୍ଣ୍ଣ ଫେଲ ମାରିବା ସହ ପାନୀୟ ଜଳଯୋଗାଣ ଠପ୍ ହୋଇପଡ଼ିଛି । ପ୍ରକଳ୍ପ ନର୍ମାଣ ସମୟରେ ପାଖାପାଖି ୩୫ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ କାଁଭାଁ କେତୋଟି ପୋଷ୍ଟକୁ ଛାଡ଼ି ଦେଲେ ସବୁ ଅକାମୀ ହୋଇ ପଡ଼ିଛି । କାହାର ଟ୍ୟାପ୍ ନାହିଁତ କେଉଁଠି ପାଇପ୍ ନାହିଁ ଓ ଆଉ କେଉଁଠି ଷ୍ଟାଣ୍ଡପୋଷ୍ଟ ଗୁଳ୍ମ ଘେରରେ ରହିଛି । ପାଖାପାଖି ୧୦ ମାସ ହେବ ଏଥିରେ ଜଳ ଯୋଗାଣବି ସଂପୂର୍ଣ୍ଣ ବନ୍ଦ ଅଛି । ବର୍ଷ ୨୦୨୦ ଡ଼ିସେମ୍ବର ମାସରେ ଏହି ସମସ୍ୟାକୁ ନେଇ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ପରେ ସେହି ମାସ ବିଭାଗ ତରଫରୁ ଏହାର ମରାମତି କରାଯାଇ କିଛି ଷ୍ଟାଣ୍ଡପୋଷ୍ଟକୁ କାର୍ଯ୍ୟକ୍ଷମ କରାଯାଇଥିଲେ ସୁଦ୍ଧା ପ୍ରକଳ୍ପ ନିର୍ମାଣ ସମୟରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପାଇପ ଗୁଡ଼ିକ ଫାଟି ପାଣି ପୋଷ୍ଟରୁ ବାହାରିବା ପରିବର୍ତ୍ତେ ରାସ୍ତା ଘାଟ ଚାରିଆଡ଼େ ପଡ଼ି ଜମି ରହି ନାନାଦି ସମସ୍ୟା ସୃଷ୍ଟି କରିଥିଲା । ଯାହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିଲା । ବିଭାଗ ତରଫରୁ ଏଥିନେଇ କୈାଣସି ପଦକ୍ଷେପ ନିଆ ନଯିବାରୁ ତାହା କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ବନ୍ଦ ହୋଇପଡ଼ିଛି । କହିବାକୁ ଗଲେ ଉକ୍ତ ଯୋଜନାଟି ସଂପୂର୍ଣ୍ଣ ଠପ୍ ହୋଇ ପଡ଼ିଛି । ପ୍ରକଳ୍ପ ଦାୟିତ୍ୱ ବିଭାଗ ତରଫରୁ ପଂଚାୟତକୁ ହସ୍ତାନ୍ତର କରାଯାଇଥିବାରୁ ଏହି ସମସ୍ୟାକୁ ନେଇ ସ୍ଥାନୀୟ ତତ୍କାଳିନ ସରପଂଚଙ୍କୁ ଯୋଗଯୋଗ କରିବାରୁ ବିଭାଗ ତରଫରୁ ନୂଆ ପାଇପ ବିଛାଯାଇ ଷ୍ଟାଣ୍ଡପୋଷ୍ଟ ପରିବର୍ତ୍ତେ ଘରକୁ ଘର ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରାଯିବାର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାର ସୂଚନା ସେ ଦେଇଥିଲେ । ବିଭାଗୀୟ ଅଧିକାରୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରହସନରେ ପରିଣତ ନକରି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Share This Article