ସ୍ଥିତି ଅନୁଧ୍ୟାନ କଲେ ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବ – Fast News Network

Odisha Hot News
2 Min Read

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପହଞ୍ଚିଛନ୍ତି। ଉଭୟ ଅଧିକାରୀ ରୋଷଘର ଚୁଲା ଭଙ୍ଗା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ କାଳରେ ସେମାନେ ସେବାୟତ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ପି କନୱର ବିଶାଳ ସଂହଙ୍କ ସହିତ ଆଲୋଚନା କରିଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ପରେ ପୁଲିସ ଡିଜି ଶ୍ରୀ ବଂସଲ କହିଛନ୍ତି ଯେ, ଚୁଲି ଭଙ୍ଗା ଘଟଣାରେ ସିସିଟିଭି ଫୁଟେଜ୍‌ ମାଧ୍ୟମରେ ଜଣକୁ ଚିହ୍ନଟ କରାଯାଇଛି। ସେ କହିଛନ୍ତି ଯେ, ଆଗାମୀ ଦିନରେ ରାତିରେ ମଧ୍ୟ ପୁଲିସ ସହ ଜେଟିପି (ଜଗନ୍ନାଥ ଟେମ୍ପୁଲ ପୁଲିସ) ମନ୍ଦିର ଜଗିବେ।
ସୂଚନାଯୋଗ୍ୟ, ଆଜି ସିସିଟିଭି ଯାଞ୍ଚ କରାଯାଇଛି। ସିସିଟିଭ ଯାଞ୍ଚ ପରେ ଜଣେ ବ୍ୟକ୍ତି ରୋଷଘରେ ପ୍ରବେଶ କରିଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ି ନାହିଁ। ପୁଲିସ ପକ୍ଷରୁ ସିସିଟିଭି ତଦନ୍ତ ଜାରି ରହିଛି। ସିସିଟିଭି ଯାଞ୍ଚ ସମୟରେ ମହାସୁଆର ନିଯୋଗର ସଭାପତି ନାରାୟଣ ମହାସୁଆର ଓ ଅନ୍ୟ କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଫାଣ୍ଡି କଣ୍ଟ୍ରୋଲ ରୁମରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏହା ପୂର୍ବରୁ ଘଟଣାର ତଦନ୍ତ ପାଇଁ ଗତକାଲି ସୁରକ୍ଷା ପ୍ରଶାସକ ଭିଏସ୍‌ ଚନ୍ଦ୍ରଶେଖର ରାଓ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ୨ ଜଣିଆ କମିଟି ଗଠିତ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଧୋପଖାଳ, ପାଇକ, ଦ୍ବାରପାଳିଆ ଓ ଅଙ୍ଗାରିଆ‌ ସେବାୟତଙ୍କୁ ଜେରା କରାଯାଇଛି।
ଶ୍ରୀମନ୍ଦିର ରୋଷଘରେ ଗତକାଲି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା। ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି। ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି। ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଂଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି। କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଗତକାଲି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଥିଲା।

Share This Article