ମଥୁରାରୁ ମିଳିଲେ ନିଖୋଜ ଦୁଇ ଦୃଷ୍ଟିହୀନ ଛାତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ଶେଷରେ ଦୁଇ ଦିନର କସରତ ପରେ ଉତ୍ତରପ୍ରଦେଶ ମଥୁରାରୁ ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଠାବ କରିଛି ପୁଲିସ। ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ରେଲୱେ ପୁଲିସ ଦୁଇ ଜଣଙ୍କୁ ହେପାଜତରେ ରଖିଛି । ଏବେ ଏହି ଦୁଇ ଛାତ୍ରୀଙ୍କୁ ଆଣିବାକୁ ଉତ୍ତରପ୍ରଦେଶର ମଥୁରାକୁ କମିସନରେଟ ପୁଲିସର ଏକ ଟିମ ଯିବ। ମିଳିଥିବା ସୂଚନା ମୁତାବକ ସୋମବାର ଦିନ ଭୁବନେଶ୍ବର ଉପକଣ୍ଠ ଏକ ଗାଁର ଛାତ୍ରୀ ନିଜ ଘରୁ ବିଶ୍ବବିଦ୍ୟାଳୟକୁ ଆସିଥିଲେ। କ୍ଲାସ ଶେଷ ହେବା ପରେ ସେ ଅପରାହ୍ନରେ ଘରକୁ ଫେରନ୍ତି। ହେଲେ ଆଉ ଘରକୁ ଫେରି ନ ଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେମାନେ କେହି କିଛି କହିପାରି ନ ଥିଲେ।
ଝିଅକୁ ନପାଇବାରୁ ବାପା ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସେହିପରି ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଆଉ ଫେରି ନ ଥିଲେ। ସେ ହଷ୍ଟେଲ୍‌କୁ ନ ଫେରିବାରୁ କର୍ତ୍ତୃପକ୍ଷ ତାଙ୍କ ସ୍ଥାନୀୟ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଛାତ୍ରୀ ଘରକୁ ଆସି ନ ଥିବା ସମ୍ପର୍କୀୟ କହିଥିଲେ। ଯେତେ ‌ଖୋଜାଖୋଜି କରିଥିଲେ ବି ତାଙ୍କ ବିଷୟରେ କିଛି ତଥ୍ୟ ମିଳିନଥିଲା।
ଭାଣିଜୀ ନିଖୋଜ ଥିବାରୁ ମାମୁଁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ତାଙ୍କ ହଷ୍ଟେଲ୍‌ ରୁମ୍‌ରୁ ୩ ଫର୍ଦ୍ଦ ଲେଖାଥିବା ଚିଠିକୁ ଜବତ କରିଥିଲା। ସେହିପରି ଅନ୍ୟ ଜଣେ ଛାତ୍ରୀଙ୍କ ଘରୁ ଏକ ରେକର୍ଡିଂ ଚିପ୍‌ ପାଇଥିଲା। ଏହା ପରେ ପୁଲିସ ଦୁଇ ଛାତ୍ରୀଙ୍କ ଫଟୋ ସବୁଆଡେ ପଠାଇଥିଲା ଓ ଶେଷରେ ଦୁଇ ଛାତ୍ରୀଙ୍କୁ ମଥୁରାରୁ ଉଦ୍ଧାର କରାଯାଇଛି।

Share This Article