ମାର୍ଚ୍ଚ ଗାଇଡଲାଇନ୍‌: ସର୍ବସାଧାରଣସ୍ଥଳରେ ହୋଲି ମନା

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି। ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି। ଗତବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ। ସରକାର ସର୍ବସାଧାରଣସ୍ଥଳରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି। ଲୋକେ ନିଜ ପରିବାର ଲୋକଙ୍କ ସହିତ ଘର ଭିତରେ ହୋଲି ଖେଳିପାରିବେ। ସେହିପରି ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଂଗ ଖେଳିପାରିବେ ନାହିଁ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର କଟକଣା ଲଗାଇ ପାରିବେ।
ରାଜ୍ୟ ସରକାରଙ୍କର ଗାଇଡଲାଇନ୍‌ ଅନୁସାରେ ୨୦୨୨ ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଅନ୍‌ଲକ୍‌ ସମୟରେ ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ କଟକଣା ସହିତ କରାଯିବ। ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ।
ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ। ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି ହେବ। ସେହିଭଳି ବିବାହ, ବ୍ରତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ମିଳିବ। ଅନ୍ତ୍ୟେଷ୍ଟିକ୍ରିୟାରେ ୨୫୦ ଲୋକ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରାରେ ସର୍ବାଧିକ ୧୦୦ ଜଣ ଯୋଗଦେଇପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ପ୍ରକାଶ ପାଇଛି।
Share on: WhatsApp

Share This Article