ବିଜେଡ଼ି କର୍ମୀଙ୍କୁ ହତ୍ୟା ଅଭିଯୋଗ ଆଣିଲା ବିଜେଡ଼ି – Fast News Network

Odisha Hot News
3 Min Read

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଉମାତ୍ର ଗୋଟିଏ ଦିନପରେ ହେବାର ଥିବାବେଳେ ଆଜିଠାରୁ ନିର୍ବାଚନୀପ୍ରଚାର ଓ ବୈଠକ ବନ୍ଦ ହୋଇଯାଇଛି । କିନ୍ତୁ ଧାମନଗର ବ୍ଲକରେ ଏହି କିଛିଦିନହେବ କାଁ ଭାଁ ରାଜନୈତିକ ଗଣ୍ଡଗୋଳ ଲାଗିରହିଥିବାବେଳେ ଗତକାଲି ରାତିରେ ଜଣେ ବିଜେଡ଼ି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ଧାମନଗର ବ୍ଳକରେ ଏବେ ରାଜନୈତିକ ପାଣିପାଗ ହଟଚମଟ ରହିଛି । ସୂଚନାଥାଉକି ଧାମନଗର ବ୍ଲକର ଜାହାଙ୍ଗିର ଗ୍ରାମର ଜଣେ ବିଜେଡ଼ି କର୍ମୀଙ୍କୁ କିଛି ବିଜେପି କର୍ମୀମାନେ ରାଜନୌତିକ ଆକ୍ରୋଶରଖି ତାଙ୍କୁ ହତ୍ୟା କରିଥିବାନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଜୁ ଜନତାଦଳ ଅଭିଯୋଗ କରିଛି । ପ୍ରକାଶ ଥାଉକି ଜାହାଙ୍ଗିର ଅଂଚଳର ପ୍ରତାପଚନ୍ଦ୍ର ରାଉତ(୫୨) କାଲି ରାତିରେ ଘରକୁ ଫେରୁଥିବାବେଳେ ଉକ୍ତ ଗ୍ରାମର ଅଜୟ ରାଉତ, ଅର୍ଜ୍ଜୁନ ରାଉତ, ଭାସ୍କର ରାଉତ, ମାନସ ଘଡ଼ାଇ, ଅବନି ରାଉତ ସମେତ ଅନ୍ୟମାନେ ସଂଘବଦ୍ଧ ହୋଇ ପ୍ରତାପକୁ ଆକ୍ରମଣ କରିଥିଲେ ।
ସେ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ଧାମନଗର ମେଡ଼ିକାଲକୁ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା । ତେବେ ବିଜେପି ଏହି ନିର୍ବାଚନ ହାରିବା ଭୟରେ ବିଜେଡ଼ି କର୍ମୀମାନଙ୍କୁ ଭୟଭିତ କରିବା ସହିତ ଅନେକ ସ୍ଥାନରେ ମରଣାତ୍ମକ ଆକ୍ରମଣ କରିବା ସହିତ କର୍ମୀମାନଙ୍କୁ ହତ୍ୟାକରିବାପାଇଁ ମଧ୍ୟ ପଛାଉନାହାନ୍ତିବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଧାମନଗର ସ୍ଥିତ ସାହାନାଇ ମଣ୍ଡପ ଠାରେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ବ୍ଳକ ସଭାପତି ଉମେଶଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ ବିଜୁ ଯୁବ ଜନତାଦଳର ସଭାପତି, ଭଦ୍ରକ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ଯୋଗଦେଇ କହିଥିଲେଯେ ଏହି ହତ୍ୟାକାଣ୍ଡ ପଛରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କର ସମ୍ପୃକ୍ତି ରହିଛି । ସେ ଏହି ଘଟଣାସ୍ଥଳରେ ଥିବାବେଳେ ତାଙ୍କ ପ୍ରରୋଚନାରେ ପ୍ରତାପଙ୍କୁ ହତ୍ୟା କରାଯାଇଛି । ତେଣୁ ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲଙ୍କୁ ଗିରଫ କରିବାପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ରାୟ ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲାସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପଂଚାୟତସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ରାଜ୍ୟ ଯୁବ ସମ୍ପାଦକ ପ୍ରିନ୍ସରାକେଶ ନାୟକ, ନଗର ମହିଳାସଭାନେତ୍ରୀ ନିବେଦୀତା ଜେନା ପ୍ରମୁଖ ଯୋଗଦେଇ ଉକ୍ତ ହତ୍ୟାକାଣ୍ଡ ଘଟଣାରେ ବିଧିବଧ ତଦନ୍ତ କରିବାସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବି କରିଥିଲେ । ଅପରପକ୍ଷେ ବିଜେଡ଼ି ରାଜନୈତିକ ଆକ୍ଷେପକରି ସ୍ୱଭାବିକ ଭାବେ ମୃତ୍ୟୁବରଣ କରିଥିବା ପ୍ରତାପଙ୍କୁ ନେଇ ହତ୍ୟାର ରୂପଦେଉଛି ବୋଲି ବିଜେପି ପାଲଟା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାମେଶ୍ୱରପୁର ସ୍ଥିତ ରକ୍ଷାକାଳୀ ମଣ୍ଡପ ନିକଟରେ ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ମଣ୍ଡଳସଭାପତି ଅରବିନ୍ଦ ପତି, ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ, ଯୁବନେତା ସୁରଜ ସୂର୍ଯ୍ୟବଂଶୀ ସେଠୀ ଓ ବିଜେପି ପଂଚାୟତ ସଭାପତି କ୍ଷେତ୍ରବାସି ବାରିକ ପ୍ରମୁଖ ଯୋଗଦେଇ ପ୍ରତାପ ମୃତ୍ୟୁର ବିଧିବଦ୍ଧ ତଦନ୍ତକରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ନଚେତ ଏକପାଖିଆ କାର୍ଯ୍ୟାନୁଷ୍ଠନା ଗ୍ରହଣକଲେ ବିଜେପି ପଲ୍ଲୀ ରୁ ଦୀଲ୍ଳି ପର୍ଯ୍ୟନ୍ତ ଆନ୍ଦୋଳନ କରିବାପାଇଁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଥିଲା ।
ତେବେ ଏହି ଘଟଣାକୁ ନେଇ ମୃତ ପ୍ରତାପ ଭାଇ କେଶବ ଚନ୍ଦ୍ର ରାଉତଙ୍କ ଲିଖିତ ଏତଲାମୂଳେ କେସ ନଂ ୭୭/୨୨ ଦଫା ୩୦୨, ୨୯୪, ୫୦୬, ୩୪ଆପିସିରେ ୧୭ଜଣଙ୍କ ନାମରେ ମାମଲା ରୁଜୁକରି ତଦନ୍ତ କରାଯାଉଥିବାର ଥାନାଅଧିକାରୀ ଶ୍ରୀବଲ୍ଳଭ ସାହୁ ପ୍ରକାଶ କରିଛନ୍ତି । ମୃତ ପ୍ରତାପଙ୍କୁ ଧାମନଗର ଠାରୁ ଏକ ଶବ ଶୋଭାଯାତ୍ରାରେ ଦୋବଲ ଜୋନ୍ ପରିକ୍ରମା କରାଯାଇ ତାଙ୍କର ନିଜଗ୍ରାମ ଜାହାଙ୍ଗିର ଠାରେ ଶବ ସତ୍କାର କରାଯାଇଥିଲା । ଏହି ଶବ ଶୋଭାଯାତ୍ରାରେ ଶହ ଶହ ବିଜେଡ଼ି କର୍ମୀମାନେ ଯୋଗଦେଇ ତାଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ । ଆଇନ୍ ଶୃଙ୍ଖଳା ପାଇଁ ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ଥାନାରୁ ଥାନାଅଧିକାରୀ ମାନେ ଧାମନଗର ଓ ଜାହାଙ୍ଗଜିରିରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଘଟଣାକୁ ନେଇ ମୃଦୁ ଉତ୍ତେଜନା ଥିଲେ ମଧ୍ୟ ପୋଲିସ ଦ୍ୱାରା ନିୟନ୍ତ୍ରଣାଧିନ ଥିବା ପୋଲିସ ଠାରୁ ପ୍ରକାଶ ।

Share This Article