ବର୍ତ୍ତମାନ ଦେଶର ପ୍ରଥମ ସୁପରହିରୋ ‘ଶକ୍ତିମାନ’କୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ସୋନି ପିକ୍ଚର୍ସ ଇଣ୍ଟରନ୍ୟାସନାଲ୍ ପ୍ରଡକ୍ସନ୍ସ ଏକ ଟିଜର ସେୟାର କରି ଏହାକୁ ନିଶ୍ଚିତ କରିଛି | ୯୦ ଦଶକରେ ବଢିଥିବା ପିଲାମାନଙ୍କ ପାଇଁ ‘ଶକ୍ତିମାନ’ ସହିତ ଜଡିତ ଅନେକ ସ୍ମୃତି ଅଛି | ଏହି ଶୋ’ ଯେତେବେଳେ ଦୂରଦର୍ଶନରେ ପ୍ରସାରିତ ହେଉଥିଲା, ସେତେବେଳେ ମୁକେଶ ଖାନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ସେ ଡବଲ୍ ରୋଲରେ ଅଭିନୟ କରୁଥିବାବେଳେ ବିଶେଷକରି ପିଲାମାନଙ୍କ ମଧ୍ୟରେ ଶୋ’କୁ ନେଇ ଏକ ଜବରଦସ୍ତ କ୍ରେଜ୍ ଥିଲା |ଏଭଳି ଲୋକପ୍ରିୟତା ସତ୍ତ୍ୱେ ମଧ୍ୟ, ଶକ୍ତିମାନ ମଧ୍ୟଭାଗରେ ବନ୍ଦ ହୋଇଯାଇଥିଲା | ଶୋ’ର କାହାଣୀ ସମ୍ପୂର୍ଣ୍ଣ ହୋଇନଥିବାବେଳେ ମୁକେଶ ଖାନ୍ନା ସେହି ସମୟରେ ଟପ୍ ସୋ ତାଲିକାରେ ଥିବାବେଳେ ହଠାତ୍ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପଛରେ କାରଣ କ’ଣ ଥିଲା? ମୁକେଶ ଖାନ୍ନା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ‘ମୁଁ ଦୂରଦର୍ଶନର ଡିଜିଙ୍କୁ ଭେଟିବାକୁ ଯାଇଥିଲି। ତାଙ୍କୁ ଶକ୍ତିମାନ ଶୋ ଖୁବ ପସନ୍ଦ ଆସିଥିଲା | ଆମକୁ ଶନିବାର ଦିନ ୧୧.୩୦ ରୁ ୧୨.୩୦ ଏବଂ ମଙ୍ଗଳବାର ରାତି ୧୦.୩୦ ରୁ ୧୧.୩୦ ସମୟ ଦିଆଯାଇଥିଲା | ଶକ୍ତିମାନ ଦେଖାଇବା ପରେ, ଅଣ-ପ୍ରାଇମ୍ ଟାଇମ୍ ମଧ୍ୟ ପ୍ରାଇମ୍ ଟାଇମ୍ ହୋଇଯାଇଥିଲା’ | ମୁକେଶ କୁହନ୍ତି ଯେ ସେହି ସମୟରେ ଏହି ସ୍ଲଟ୍ ର ମୂଲ୍ୟ ୩.୮୦ ଲକ୍ଷ ଟଙ୍କା ଥିଲା | ଅର୍ଥାତ ଦୂରଦର୍ଶନକୁ ଏତିକି ଟଙ୍କା ଦେବାକୁ ପଡୁଥିଲା | ୧୫୦-୨୦୦ ଏପିସୋଡ୍ ଚାଲିବା ପରେ ସେ ମୋତେ ରବିବାର ପ୍ରସାରଣ କରିବାକୁ କହିଥିଲେ | ରବିବାର ଏପିସୋଡର ମୂଲ୍ୟ ୭.୮୦ ଲକ୍ଷ ଟଙ୍କା ଥିଲେ ବି ମୁଁ ରାଜି ହୋଇଥିଲି |
୧୦୪ଟି ଏପିସୋଡ୍ ପରେ, ମୁଁ ଜାଣିବାକୁ ପାଇଲି ଯେ ଏପିସୋଡର ମୂଲ୍ୟ ୧୦.୮୦ ଲକ୍ଷ ଟଙ୍କାକୁ ବଢାଯାଇଛି | ମୁଁ ତାଙ୍କୁ କହିଥିଲି ଯେ ଏପିସୋଡର ମୂଲ୍ୟ ଅଧିକ ହୋଇଯାଉଛି | ମୁଁ ଜାଣିବାକୁ ପାଇଲି ଯେ ସେମାନେ ଏହାକୁ ୧୬ ଲକ୍ଷ ଟଙ୍କା କରିବାକୁ ଯାଉଛନ୍ତି | ମୁଁ ଏହାକୁ ବିରୋଧ କରିଥିଲି | ଯଦି ଗୋଟିଏ ଶୋ ହିଟ ହେଉଛି ତେବେ ମୂଲ୍ୟ ବର୍ଦ୍ଧିତ କରାଯିବା ଉଚିତ ନୁହେଁ ବୋଲି ଜଣାଇଥିଲି | ଶୋ’ର ମୂଲ୍ୟ ବଢ଼ୁଥିବାରୁ ଆମକୁ କ୍ଷତି ସହିବାକୁ ପଡିଥିଲା | ଏହି କାରଣରୁ, ଏହାକୁ ବନ୍ଦ କରିବାକୁ ସ୍ଥିର କରାଯାଇଥିଲା ଏବଂ ‘ଶକ୍ତିମାନ’ର କାହାଣୀ ମଧ୍ୟ ଅସମ୍ପୂର୍ଣ୍ଣ ରହିଲା | ୨୦୦୪ ରେ, ‘ଶକ୍ତିମାନ’ ଶୋ କୁ ବନ୍ଦ କରାଯାଇଥିଲା |
Comment