ଓଡ଼ିଶା ହାଇକୋର୍ଟରେ ଖାଲିପଡିଛି ୧୨ ବିଚାରପତି ପଦ

Odisha Hot News
2 Min Read

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୨ ଜଣ ବିଚାରପତି ପଦ ଖାଲିରହିଛି। ଆସନ୍ତା ଜୁନ ଓ ଜୁଲାଇ ମାସରେ ଦୁଇ ଜଣ ବିଚାରପତି ଅବସରଗ୍ରହଣ କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଆସନ୍ତା ୬ ମାସରେ ଓଡ଼ିଶା ହାଇକୋର୍ଟରେ ଖାଲିପଡ଼ିଥିବା ବିଚାରପତି ପଦ ୧୪ରେ ପହଞ୍ଚିବ। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏହି ସବିଶେଷ ତଥ୍ୟ ଦିଆଯାଇଛି।

ଷ୍ଟାଟସ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବାବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୫ ଜଣ ବିଚାରପତି ରହିଛନ୍ତି। ମଞ୍ଜୁରୀ ପ୍ରଦାନ କରାଯାଇଥିବା ୨୭ଟି ବିଚାରପତି ପଦ ମଧ୍ୟରୁ ୧୮ ଜଣଙ୍କୁ ବାର୍‌ରୁ ଓ ୯ ଜଣଙ୍କୁ ରାଜ୍ୟର ଉଚ୍ଚ ବିଚାରବିଭାଗୀୟ ସେବାରୁ ପୂରଣ କରାଯିବା ପାଇଁ ବ୍ୟବସ୍ଥା ରହିଛି। ବର୍ତ୍ତମାନ ହାଇକୋର୍ଟରେ କାର୍ଯ୍ୟରତ ୧୫ ଜଣ ବିଚାରପତିମାନଙ୍କ ମଧ୍ୟରୁ ୧୦ ଜଣ ବାର୍ କୋଟାରୁ ଓ ବିଚାରବିଭାଗୀୟ ସେବା କୋଟାରୁ ରହିଥିବା ଷ୍ଟାଟସ ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଖାଲିପଡ଼ିଥିବା ୧୨ ଜଣ ବିଚାରପତି ପଦ ମଧ୍ୟରୁ ୮ ଜଣ ବାର୍‌ କୋଟାରୁ ନିଯୁକ୍ତି ପାଇବାକୁ ଥିବା ବର୍ଗରୁ ଓ ୪ଟି ବିଚାରବିଭାଗୀୟ ସେବା ବର୍ଗରୁ ରହିଛି। ଆସନ୍ତା ୬ ମାସରେ ଦୁଇ ବିଚାରପତି ପଦ ଖାଲି ହେବାକୁ ଥିବାବେଳେ ବାର୍‌ରୁ ଖାଲି ପଡ଼ିଥିବା ବିଚାରପତି ସଂଖ୍ୟା ୧୦ରେ ପହଞ୍ଚିବ ବୋଲି ଷ୍ଟାଟସ ରିପୋର୍ଟରେ କୁହାଯାଇଛି।
ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଜାନୁଆରି ୪ ତାରିଖରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଚାରପତି ପଦରେ ନିଯୁକ୍ତି ସଂପର୍କିତ ନୂତନ ସୁପାରିସ ପାଇଁ ଓଡ଼ିଶା ହାଇକୋର୍ଟର କଲେଜିୟମ ନିଷ୍ପତ୍ତି ନେବ ବୋଲି ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟାଟସ୍ ରିପୋର୍ଟରେ ୨୦୧୯, ମେ ୭ରେ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିରହିଥିବା ୧୨ଟି ବିଚାରପତି ପଦ ପୂରଣ ପାଇଁ ତତ୍କାଳୀନ ମୁଖ୍ୟ ବିଚାରପତି କେ.ଏସ.ଜାଭେରୀଙ୍କ କାର୍ଯ୍ୟ ଅବଧି ଭିତରେ ସୁପାରିସ କରାଯାଇଥିବା ପ୍ରସଂଗରେ ମଧ୍ୟ ଷ୍ଟାଟସ ରିପୋର୍ଟରେ ଅବଗତ କରାଯାଇଛି। ବାର୍‌ରୁ ୮ ଜଣଙ୍କ ନାଁ ଓ ବିଚାରବିଭାଗୀୟ ସେବାରୁ ୪ଜଣଙ୍କ ନାଁ ସୁପାରିସ କରାଯାଇଥିଲା। ହେଲେ ୧୨ଟି ସୁପାରିସରୁ ତିନି ଜଣଙ୍କୁ ନିଯୁକ୍ତି ମିଳିଥିଲା।

ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଓଡ଼ିଶା ହାଇକୋର୍ଟ ପାଇଁ ମଞ୍ଜୁରୀପ୍ରାପ୍ତ ୨୭ ଜଣ ବିଚାରପତି ପଦରୁ ସ୍ଥାୟୀ ବିଚାରପତିଙ୍କ ସଂଖ୍ୟା ୨୦ ଓ ଅତିରିକ୍ତ ବିଚାରପତିଙ୍କ ସଂଖ୍ୟା ୭ ବୋଲି ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ହାଇକୋର୍ଟରେ ୧୫ ଜଣ ସ୍ଥାୟୀ ବିଚାରପତି କାର୍ଯ୍ୟ କରୁଛନ୍ତି। ଖାଲି ପଡ଼ିରହିଥିବା ୧୨ ଜଣ ବିଚାରପତି ପଦରୁ ୫ ଜଣ ସ୍ଥାୟୀ ବିଚାରପତି ଓ ୭ ଜଣ ଅତିରିକ୍ତ ବିଚାରପତି ପଦ ଏଥିରେ ବୋଲି ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ୍.ଏ. ବୋବ୍‌ଡେ, ଜଷ୍ଟିସ ଏସ୍‌. କେ. କୌଲ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେଶର ବିଭିନ୍ନ ହାଇକୋର୍ଟରେ ଖାଲିପଡ଼ିରହିଥିବା ବିଚାରପତି ପଦ ପୂରଣ ପ୍ରସଂଗରେ ଶୁଣାଣି ହୋଇଥିଲା। ଓଡ଼ିଶା ହାଇକୋର୍ଟରେ ଖାଲିପଡିଥିବା ବିଚାରପତି ପଦ ସଂପର୍କିତ ତଥ୍ୟ ଦାଖଲ ହୋଇଥିବାବେଳେ ଖଣ୍ଡପୀଠ ଏହି ପ୍ରସଂଗରେ କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି।

Share This Article