ଆସନ୍ତାକାଲି ଭାରତ ବନ୍ଦ : କ’ଣ କ’ଣ ବନ୍ଦ ଓ ଖୋଲା ରହିବ ଜାଣନ୍ତୁ

Odisha Hot News
2 Min Read

ନୂଆଦିଲ୍ଲୀ : କୃଷକ ଓ ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ବୈଠକ ପରେ ମଧ୍ୟ କୌଣସି ଫଳାଫଳ ସାମ୍ନାକୁ ଆସିନାହିଁ। ପୁଣି ୯ ତାରିଖରେ ଦୁଇ ପକ୍ଷ ମଧ୍ୟରେ ବୈଠକ ବସିବ। ୮ ତାରିଖ, ମଙ୍ଗଳବାର ଦିନ କୃଷକ ସଂଗଠନ ରାଷ୍ଟ୍ରବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି। କୃଷକ ଆନ୍ଦୋଳନକୁ ବିରୋଧୀ ଦଳ, ଟ୍ରେଡ଼ ୟୁନିୟନ, ଅଟୋ ଓ ଟ୍ୟାକ୍ସି ୟୁନିୟନ ମଧ୍ୟ ସମର୍ଥନ ଜଣାଇଛନ୍ତି। ଭାରତ ବନ୍ଦ ଯୋଗୁଁ ସର୍ଭିସ ସେକ୍ଟରର ଅନେକ ସେବା ପ୍ରଭଵିତ ହେବାର ଆଶଙ୍କା ରହିଛି। ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣାରେ ବନ୍ଦର ପ୍ରଭାବ ସବୁଠାରୁ ଅଧିକ ପଡିପାରେ।

କୃଷକ ନେତା ବଳଦେବ ସିଂହ ଯାଦବ କହିଛନ୍ତି, ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସନ୍ଧ୍ୟା ଯାଏଁ ବନ୍ଦ ରହିବ। ବନ୍ଦ ସମୟରେ ଦୋକାନ ଓ ବ୍ୟବସାୟ ବନ୍ଦ ରହିବ। କିନ୍ତୁ ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଚାଲୁ ରହିବ।

ଅଟୋ ଓ ଟ୍ୟାକ୍ସି ୟୁନିୟନ ଦ୍ୱାରା ଭାରତ ବନ୍ଦରେ ଏକଜୁଟ ହେବାରୁ ଦିଲ୍ଲୀବାସୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦିଲ୍ଲୀ ପରିବହନ ସଂଗଠନ ଅଧ୍ୟକ୍ଷ ସଞ୍ଜୟ ସମ୍ରାଟ ଏକ ବୟାନରେ କହିଛନ୍ତି, ଦିଲ୍ଲୀ ଷ୍ଟେଟ ଟ୍ୟାକ୍ସି କୋଅପରେଟିଭ ସୋସାଇଟି ଭାରତ ବନ୍ଦକୁ ସମର୍ଥନ ଜଣାଇବେ। ଫଳରେ ଓଲା-ଉବେର ସର୍ବୋଦୟ ଡ୍ରାଇଭର ଆସୋସିଏସନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇବେ।

ଅନେକ ବ୍ୟାଙ୍କ ୟୁନିୟନ୍ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ। ବ୍ୟାଙ୍କ ୟୁନିୟନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଶୀଘ୍ର କୃଷକଙ୍କ ସମସ୍ୟା ସମାଧାନ କରାଯାଉ। ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପଲୟୀ ଆସୋସିଏସନ (AIBEA) ଏକ ବୟାନରେ କହିଛି ଯେ ସରକାର କୃଷକଙ୍କ ଦାବି ପୁରା କରିବା ଉଚିତ। ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫିଡିରେସନ (AIBOC), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (AIBOA) ଓ ଇଣ୍ଡିଆନ ନ୍ୟାସନାଲ୍ ବ୍ୟାଙ୍କ ଅଫିସର୍ସ କଂଗ୍ରେସ (INBOC) କୃଷକଙ୍କ ସମସ୍ୟା ଦୂର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି।

କୃଷକଙ୍କ ସମର୍ଥନରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଡ଼ ୟୁନିୟନ କଂଗ୍ରେସ (INTUC), ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ କଂଗ୍ରେସ (AITUC), ହିନ୍ଦୁ ମଜଦୁର ସଭା (HMS), ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିୟନ (CITU), ଅଲ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ଼ ୟୁନିୟନ ସେଣ୍ଟର (AIUTUC) ଏବଂ ଟ୍ରେଡ଼ ୟୁନିୟନ କୋଅର୍ଡିନେସନ ସେଣ୍ଟର (TUCC) ସାମିଲ ହୋଇଛନ୍ତି।

ପଞ୍ଜାବର ହୋଟେଲ ଓ ରେସ୍ତୋରାଁ ଆସୋସିଏସନ କହିଛି ଯେ ପୂର୍ବରୁ ବୁକ ହୋଇଥିବା ବାହାଘର ଅର୍ଡର ଛାଡି ସମସ୍ତ ହୋଟେଲ, ରେସ୍ତୋରାଁ ଓ ବାର ବନ୍ଦ ରହିବ।

Share This Article