କଟକ: କଟକର ନୟାସଡ଼କସ୍ଥିତ ଆଇଆଇଏଫଏଲ ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣାରେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ୨କେଜି ସୁନା ମଧ୍ୟ ଜବତ କରିଛି କମିସନରେଟ ପୁଲିସ। ସେମାନଙ୍କୁ ଅଟକ ରଖାଯିବା ସହ ଘଟଣାର ଛାନଭିନ ମଧ୍ୟ ଆରମ୍ଭ ହୋଇଥିବା ନେଇ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୁଲିସ କମିସନରଙ୍କ ସୂଚନା ଅନୁଯାୟୀ, ଏହି ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ନୟାସଡ଼କସ୍ଥିତ ଆଇଆଇଏଫଏଲର ଜଣେ କର୍ମଚାରୀ। ସେ ତାଙ୍କର ଜଣେ ସାଙ୍ଗ ଜରିଆରେ ଏକ ମନ୍ଦିରରେ ଏହି ଲୁଟର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ। ଏହି ଦୁଇ ଜଣ ହେଲେ କର୍ମଚାରୀ ଲାଲା ଅମ୍ରିତ ରାୟ ଓ ତାଙ୍କ ସାଙ୍ଗ ରଞ୍ଜନ କୁମାର ବେହେରା । ଲାଲା ଅମ୍ରିତ ରାୟ ଆଇଆଇଏଫଏଲରେ ଦୀର୍ଘ ୪ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ। ସେଠାରେ ସେ ହେରଫେରରେ ସଂପୃକ୍ତ ଥିଲେ। ତେବେ ସଂସ୍ଥାର ଆଭ୍ୟନ୍ତରୀଣ ଅଡିଟ୍ ଚାଲୁ ହେବା ଫଳରେ ତାଙ୍କର ଧରା ପଡ଼ିଯିବାର ଭୟ ହୋଇଥିଲା। ଫଳରେ ସେ ନିଜର ବନ୍ଧୁ ରଞ୍ଜନଙ୍କ ସହିତ ମିଶି ଲୁଟ୍ ଯୋଜନା କରିଥିଲେ। ଏହି ଦୁଇ ଜଣଙ୍କ ଘର କଟକ ଜିଲ୍ଲା କିଷନ ନଗର ଥାନା ଅଂଚଳରେ ବୋଲି ଜଣାପଡ଼ିଛି। ଏହି ଲୁଟକୁ ଅନ୍ୟ ୪ ଜଣଙ୍କ ଦ୍ବାରା ସେମାନେ କାର୍ଯ୍ୟକାରୀ କରିଥିଲେ। ଆଇଆଇଏଫଏଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଏବଂ ସିସିଟିଭି କାମ କରୁ ନଥିବା ହେତୁ ଏହି ଯୋଜନାକୁ ଅଭିଯୁକ୍ତମାନେ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଏଥିଲାଗି ଆଇଆଇଏଫଏଲର ସମସ୍ତ କର୍ମଚାରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comment