କଟକ: ପୂର୍ବତନ ବିଧାୟକ, କଂଗ୍ରେସର ବରିଷ୍ଠ ନେତା ଗୁରୁପଦ ନନ୍ଦ (୭୫)ଙ୍କର ଆଜି ପରଲୋକ ଘଟିଛି। ଗୁରୁପଦଙ୍କ ବିୟୋଗରେ କଂଗ୍ରେସ ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଦଳ ଭିତରେ ‘ଭାଇନା’ ନାମରେ ଲୋକପ୍ରିୟ ଗୁରୁପଦ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାରଡା ଗ୍ରାମରେ ୧୯୪୬, ଏପ୍ରିଲ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ପ୍ରଜା ସୋସିଆଲିଷ୍ଟ ପାର୍ଟି (ପିଏସପି)ରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିବାବେଳେ ପରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ରାଜ୍ୟ ଯୁବ କଂଗ୍ରେସର ସଭାପତି ରହିଥିଲେ। ୧୯୮୦ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ରାଉରକେଲା ଆସନରୁ ବିଜୟୀ ହେବା ସହିତ ଗୁରୁପଦ ବିଧାନସଭାରେ ଶାସକ କଂଗ୍ରେସ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ୧୯୯୦ , ୨୦୦୪ ନିର୍ବାଚନରେ କଟକ ଜିଲ୍ଲାର ପୁରୁଣା କିଶନନଗର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ବି ଆଉ ବିଜୟୀ ହୋଇ ପାରି ନଥିଲେ। ସେ ରାଜ୍ୟ କଂଗ୍ରେସର ଉପସଭାପତି, କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭଳି ଦଳର ବିଭିନ୍ନ ସାଂଗଠନିକ ପଦପଦବିରେ ସଫଳତାର ସହିତ କାର୍ଯ୍ୟ କରିଥିଲେ। ସେ ରାଜ୍ୟ ସମବାୟ ବ୍ୟାଙ୍କର ମଧ୍ୟ ସଭାପତି ଥିଲେ। ଅକ୍ଟୋବର ୩ ତାରିଖରୁ ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଘରକୁ ଫେରିଥିଲେ ବି ପୁଣି ଅସୁସ୍ଥ ହୋଇ କଟକର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୯ଟାରେ ସେଠାରେ ତାଙ୍କର ପରଲୋକ ଘଟିଥିଲା।
ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

You Might Also Like
- Advertisement -
Comment